(Video) ମିଜୋରାମରେ ଏୟାର ଷ୍ଟ୍ରାଇକ୍ କରିଥିଲା କଂଗ୍ରେସ ସରକାର: ଲୋକସଭାରେ ବର୍ଷିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହି ଅବସରରେ ସେ ୧୯୬୬ ମସିହାରେ କଂଗ୍ରେସ ଶାସନ ସମୟରେ ମିଜୋରାମରେ ହୋଇଥିବା ହିଂସାକାଣ୍ଡର ଉଦାହରଣ ଦେଇଛନ୍ତି । ସେ ସମୟରେ ଭାରତୀୟ ବାୟୁସେନା (ଆଇଏଏଫ) ଦେଶର ନାଗରିକଙ୍କ ଉପରେ ତା’ର ପ୍ରଥମ ଏୟାର ରେଡ୍ କରିଥିଲା ।

ଦେଶର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅପରେସନ ଜେରିଚୋ ମାଧ୍ୟମରେ ବିଚ୍ଛିନ୍ନତାବାଦୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ବିରୋଧରେ ଏୟାର ଫୋର୍ସକୁ ବ୍ୟବହାର କରିଥିଲେ । ଲୋକସଭାରେ ଭାଷଣ ଦେବା ଅବସରରେ ପିଏମ୍ ମୋଦୀ କହିଥିଲେ, ୧୯୬୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଂଗ୍ରେସ ମିଜୋରାମର ଅସହାୟ ନାଗରିକଙ୍କ ଉପରେ ଏୟାର ଫୋର୍ସ ଆକ୍ରମଣ କରିଥିଲା । ଯଦି ଏହା ଅନ୍ୟ ଦେଶର ବାୟୁସେନା ବାହିନୀ ଥିଲା ତେବେ କଂଗ୍ରେସ ଏନେଇ ଉତ୍ତର ରଖିବା ଆବଶ୍ୟକ । ମିଜୋରାମର ଲୋକମାନେ ମୋ ଦେଶର ନାଗରିକ ନଥିଲେ କି? ସେମାନଙ୍କର ସୁରକ୍ଷା ଭାରତ ସରକାରଙ୍କ ଦାୟିତ୍ୱ ନଥିଲା କି?

ମାର୍ଚ୍ଚ ମାସ ୫ ତାରିଖକୁ ନେଇ ଆଜି ବି ମିଜୋରାମ ଶୋକ ମନାଉଛି । କଂଗ୍ରେସ ଏହି ସତ୍ୟକୁ ଦେଶବାସୀଙ୍କଠାରୁ ଲୁଚାଇ ରଖିଛି । ସେତେବେଳେ କିଏ ଶାସନ କରୁଥିଲା? ଇନ୍ଦିରା ଗାନ୍ଧି ବୋଲି ମୋଦୀ କହିଥିଲେ । ବାୟୁସେନା ଆକ୍ରମଣ କରାଯାଇ ଭାରତ ସରକାରଙ୍କ ଦ୍ୱାରା ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାଦ୍ୱାରା ଏମଏନଏଫ ବିଦ୍ରୋହକୁ ରୋକିବା ଉଦ୍ଦେଶ୍ୟ ସଫଳ ହୋଇଥିଲା ମାତ୍ର ଦୀର୍ଘଦିନ ଧରି ଏହାକୁ ରୋକ ଯାଇ ପାରିନଥିଲା । ଏହି ଅପରେସନକୁ ଦେଶବାସୀଙ୍କଠାରୁ କଂଗ୍ରେସ ଲୁଚାଇ ରଖିଛି । ଏପରି କୌଣସି ଏୟାର ବୋମାମାଡ଼ ହୋଇନଥିବା ଇନ୍ଦିରା କହିଥିବା ମୋଦୀ କହିଥିଲେ ।