fbpx

ଓଡ଼ିଶାରେ ବିଧାନ ପରିଷଦ ଗଠନ: ସଂସଦରେ କେନ୍ଦ୍ର ସରକାର ଆଗତ କରିବେ ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଧାନ ପରିଷଦ ଗଠନର ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଗତବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିଧାନ ପରିଷଦ ଗଠନ ନେଇ ୨୦୧୮ରେ କେନ୍ଦ୍ରକୁ ଓଡ଼ିଶା ସରକାର ପ୍ରସ୍ତାବ ପଠାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏ ବାବଦରେ କୌଣସି ପ୍ରସ୍ତାବ ରାଜ୍ୟ ସରକାର ପଠାଇ ନଥିବା କେନ୍ଦ୍ର ସରକାର କହିଥିଲେ ।

ତେବେ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଖୁବଶୀଘ୍ର ଆଇନଗତ ମଞ୍ଜୁରୀ ମିଳିପାରେ । ଆସନ୍ତା ଶୀତ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଏନେଇ ବିଲ୍ ଆଗତ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସଂସଦର ଉଭୟ ସଦନ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଲେ ଓଡ଼ିଶାରେ ବିଧାନ ପରିଷଦ ଗଠନର ରାସ୍ତା ପରିଷ୍କାର ହୋଇଯିବ । ରାଜ୍ୟ ବିଧାନ ପରିଷଦରେ ୪୯ ଜଣ ପରୋକ୍ଷ ଓ ମନୋନୀତ ସଦସ୍ୟ ରହିବେ ।

ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ସଂକଳ୍ପ ପତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାପ୍ତ ହୋଇଛି ଓ ତା’ ଉପରେ ବିଚାର ବିମର୍ଶ ଚାଲିଥିବା କେନ୍ଦ୍ର ଆଇନ ମନ୍ତ୍ରୀ ସ୍ୱୀକାର କରିଥିଲେ । ବର୍ତ୍ତମାନ ଦେଶର ୬ଟି ରାଜ୍ୟ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର, ତେଲେଙ୍ଗାନା ଓ କର୍ଣ୍ଣାଟକରେ ବିଧାନ ପରିଷଦ ରହିଛି । ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ୪ ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ସରକାରଙ୍କୁ ସଂକଳ୍ପ ପଠାଯାଇଛି । ବିଧାନସଭାର ଏକ ତୃତୀୟାଂଶ ସଦସ୍ୟଙ୍କୁ ନେଇ ବିଧାନ ପରିଷଦ ଗଠନ ହେବ ବୋଲି ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଂକଳ୍ପରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.