କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ରିପୋର୍ଟ: ତିନୋଟି ବିଭାଗର ଅଧିକାରୀଙ୍କ ବିରୋଧରେ ଆସିଛି ସର୍ବାଧିକ ଭ୍ରଷ୍ଟାଚାର ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ନିକଟରେ ୨୦୦୨ର ବାର୍ଷିକ ରିପୋର୍ଟ ଜାରି କରିଛନ୍ତି । ତେବେ ଗତ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ବିରୋଧରେ ସର୍ବାଧିକ ଭ୍ରଷ୍ଟାଚାର ଅଭିଯୋଗ ଆସିଥିଲା । ତା’ପରେ ରେଲୱେ ଓ ବ୍ୟାଙ୍କିଂ ଅଧିକାରୀଙ୍କ ବିରୋଧରେ ଅଧିକ ଅଭିଯୋଗ ଆସିଥିବା ଜଣାପଡ଼ିଛି । ୨୦୨୨ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂଗଠନରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ୧,୧୫,୨୦୩ଟି ଅଭିଯୋଗ ଆସିଥିଲା ।

ତେବେ ସେଥି ମଧ୍ୟରୁ ୮୫,୪୩୭ଟି ଅଭିଯୋଗର ସମାଧାନ କରାଯାଇଥିଲା । ୨୯,୭୬୬ଟି ଅଭିଯୋଗ ପେଣ୍ଡିଂ ରହିଥିବା ବେଳେ ୨୨,୦୩୪ଟି ଅଭିଯୋଗ ୩ ମାସ ମାସରୁ ଅଧିକ ପର୍ଯ୍ୟନ୍ତ ପେଣ୍ଡିଂ ରହିଥିଲା । ଅଭିଯୋଗର ଯାଞ୍ଚ କରିବା ପାଇଁ ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ପାଇଁ ତିନି ମାସ ସମୟସୀମା ନିର୍ଦ୍ଧାରିତ କରାଯାଇଛି । ଗତବର୍ଷ ଗୃହ ମନ୍ତ୍ରଣାଳୟ ନିକଟକୁ ନିଜ କର୍ମଚାରୀଙ୍କ ବିରୋଧରେ ୪୬,୬୪୩ଟି ଅଭିଯୋଗ ଆସିଥିଲା । ସେହିପରି ରେଳ ବିଭାଗ ନିକଟକୁ ୧୦,୫୮୦ଟି ଓ ବ୍ୟାଙ୍କ ନିକଟକୁ ୮,୧୨୯ଟି ଅଭିଯୋଗ ଆସିଥିଲା ।

ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ବିରୋଧରେ ଆସିଥିବା ମୋଟ ଅଭିଯୋଗ ମଧ୍ୟରୁ ୨୩,୯୧୯ଟି ସମାଧାନ କରାଯାଇଥିଲା । ସେଥିମଧ୍ୟରୁ ୧୯,୧୯୮ଟି ଅଭିଯୋଗ ତିନି ମାସରୁ ଅଧିକ ସମୟ ଧରି ପେଣ୍ଡିଂ ରହିଛି । ଉକ୍ତ ରିପୋର୍ଟକୁ ନିକଟରେ ସାର୍ବଜନିନ କରାଯାଇଛି । ରେଳ ବିଭାଗ ପକ୍ଷରୁ ୯,୬୬୩ଟି ଅଭିଯୋଗର ସମାଧାନ କରାଯାଇଥିବା ବେଳେ ୯୧୭ଟି ପେଣ୍ଡିଂ ରହିଛି । ଏହାଛଡ଼ା ୯ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ପେଣ୍ଡିଂ ରହିଛି । ବ୍ୟାଙ୍କ ପକ୍ଷରୁ ୭,୭୬୨ଟି ଅଭିଯୋଗ ସମାଧାନ କରାଯାଇଥିବା ବେଳେ ୭୮ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ପେଣ୍ଡିଂ ରହିଛି । ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ବିରୋଧରେ ୭,୩୭୦ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୬,୮୦୪ଟି ସମାଧାନ କରାଯାଇଛି । ୪,୩୦୪ଟି ଅଭିଯୋଗ କୋଇଲା ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ, ୪,୨୩୬ଟି ଅଭିଯୋଗ ଶ୍ରମ ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ, ୨,୬୧୭ଟି ଅଭିଯୋଗ ପେଟ୍ରୋଲିୟମ ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ଆସିଥିଲା ।

Get real time updates directly on you device, subscribe now.