ଭାରି ପଡୁଛି ଏଲ୍‌ନିନୋର ପ୍ରଭାବ: ଅଗଷ୍ଟରେ ନିଅଣ୍ଟିଆ ବର୍ଷା ରେକର୍ଡ ଭାଙ୍ଗିବ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଆରେ ଗୋଟିଏ କଥା ଅଛି ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ’ । ଏବେ ଏହି ଉକ୍ତି ମୌସୁମୀ ପାଇଁ ଯଥାର୍ଥ ବୋଲି କୁହାଯାଇପାରେ । କେତେବେଳେ କେଉଁଠି ପ୍ରବଳ ବର୍ଷି ଜଳ ପ୍ରଳୟ ସୃଷ୍ଟି କରୁଛି ତ ଆଉ କେଉଁଠି ନିଅଣ୍ଟିଆ ବର୍ଷା ପାଇଁ ଚାଷୀ ହନ୍ତସନ୍ତ ହେଉଛି । ତେବେ ଏଲ୍‌ନିନୋର ଏକ ବଡଧରଣର ପ୍ରଭାବ ଯୋଗୁଁ ଦେଶରେ ଅଗଷ୍ଟର ନିଅଣ୍ଟିଆ ବର୍ଷା ରେକର୍ଡ ଭାଙ୍ଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବିଶିଷ୍ଟ ଭୂବିଜ୍ଞାନୀ ମାଧବନ
ରାଜୀବନ କହିଛନ୍ତି ଯେ,ଚଳିତ ଅଗଷ୍ଟ ମାସରେ ସର୍ବାଧିକ ୪୦ପ୍ରତିଶତ ନିଅଣ୍ଟିଆ ବର୍ଷାର ସମ୍ଭାବନା ରହିଛି ।

ଏଥିପୂର୍ବରୁ ୨୦୦୫ରେ ସର୍ବାଧିକ ୨୫% ନିଅଣ୍ଟିଆ ବର୍ଷା ଅଗଷ୍ଟ ମାସରେ ରେକର୍ଡ କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ, ଅଗଷ୍ଟ ୨୧ରୁ ୨୮ଯାଏଁ ମୌସୁମୀ ସଂପୂର୍ଣ୍ଣ ଦୁର୍ବଳ ରହିବ । ଉତ୍ତର ଭାରତରେ ପ୍ରବଳ ବର୍ଷା ଲାଗି ରହିଲେ ବି ଦକ୍ଷିଣ ଓ କେନ୍ଦ୍ରୀୟ ଭାରତରେ ନିଅଣ୍ଟିଆ ବର୍ଷାର ଉତ୍କଟ ସ୍ଥିତି ଦେଖାଦେବ । ୧୦୦ରୁ ଅଧିକ ବର୍ଷ ପରେ ଦେଶରେ ଅଗଷ୍ଟ ମାସ ଶୁଷ୍କ ହେବାକୁ ଯାଉଛି । ଅଗଷ୍ଟ ମାସର ପ୍ରଥମ ୧୮ଦିନରେ ବର୍ଷାର ପରିମାଣ ୩୮% କମ ରହିଥିବା ଭାରତୀୟ ପାଣିପାଗ
ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । କେବଳ ଏତିକି ନୁହେଁ ଅଗଷ୍ଟ ମାସ ସବୁଠାରୁ ଶୁଷ୍କ ହେବାର ଆଶଙ୍କା ପ୍ରକାଶ ପାଇଛି ।

ସେପ୍ଟେମ୍ବର ବର୍ଷାକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏଲ୍‌ନିନୋ ପ୍ରଭାବ ଯୋଗୁଁ ସେପ୍ଟେମ୍ବରରେ ମଧ୍ୟ ନିଅଣ୍ଟିଆ ବର୍ଷା ହେବ ବୋଲି ଆକଳନ କରାଯାଉଛି । ୧୦% ନିଅଣ୍ଟିଆ ବର୍ଷା ପାଇଁ ୮୭% ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇଛି । ଏହାସହ ମୌସୁମୀ ନିମ୍ନ ଚାପରେଖା ଏବେ ସ୍ୱଭାବିକ ଅବସ୍ଥାନ ଯୋଗୁଁ ଉତ୍ତରରେ ହିମାଳୟ ପାଦଦେଶରେ ରହିଛି । ଏହାମଧ୍ୟ ଦୁର୍ବଳ ଅବସ୍ଥାରେ ଥିବା ସୂଚନା ଦିଆଯାଇଛି । ଏବେ ଓଡ଼ିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନଥିବାରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ୨୩ତାରିଖ ବେଳକୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ ଗଞ୍ଜାମ ଏବଂ କନ୍ଧମାଳ ପାଇଁ ଏଲୋ ଆଲର୍ଟ ଜାରୀ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ଯାଜପୁରର ସୁକିନ୍ଦାରେ ସର୍ବାଧିକ ୯୮.୨ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାର କୋଲାବିରାରେ ୯୭ ମିମି, ନବରଙ୍ଗପୁରରେ ୮୯ମିମି, ସମ୍ବଲପୁରରେ ୮୪ମିମି ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ ୭% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁରେ ୧୯ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି । ଦୁଇଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.