fbpx

ଭଦ୍ରକରେ ବଡ଼ ଅଘଟଣ: ଅଧାରୁ ଅଲଗା ହୋଇଗଲା ଟ୍ରେନ, ଆଗକୁ ଚାଲିଗଲା ୩୦ଟି ବଗି, ପଛରେ ରହିଗଲା ୩୦ଟି ବଗି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଗତ ଜୁନ ମାସ ୨ ତାରିଖରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା କଥା ମନେପଡ଼ିଲେ ଏବେ ବି ଦେହ ଶିତେଇ ଉଠୁଛି । ଶତାଧିକ ନିରୀହ ଲୋକଙ୍କ ଜୀବନ ନେଇଥିଲା ଏଇ ଦୁର୍ଘଟଣା । ଏଥିସହିତ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଏବେ ବି ଅନେକ ମେଡିକାଳ ବେଡରେ ଚିକିତ୍ସିତ ହେଉଥିବା ବେଳେ କିଏ ପଙ୍ଗୁ ପାଲଟି ଯାଇଛି ତ ଆଉ କିଏ ମାନସିକ ରୋଗୀ ପାଲଟି ଯାଇଛି ।

ତେବେ ବାହାନଗା ଦୁର୍ଘଟଣା ପରେ ରାଜ୍ୟ ତଥା ଦେଶରେ ଅନେକ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି ବାଲେଶ୍ୱରର ପଡ଼ୋଶୀ ଜିଲ୍ଲା ଭଦ୍ରକରେ ଦେଖିବାକୁ ମିଳିଛି ଏକ ଟ୍ରେନ ଦୁର୍ଘଟଣା । ୬୦ଟି ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ ଖଡ଼ଗପୁରୁ ଆସୁଥିଲା । ମାତ୍ର ହଠାତ୍ ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟରେ ଘଟିଥିବା ଏକ ଅଘଟଣ । ଦୁର୍ଭାଗ୍ୟବଶତଃ ଟ୍ରେନଟି ମଝିରୁ ଛିଡ଼ି ଯାଇଥିଲା ।

ମାଲବାହୀ ଟ୍ରେନଟି ଅଧାରୁ ଛିଡ଼ି ଯିବା ଫଳରେ ଇଞ୍ଜିନ ୩୦ଟି ବଗି ସହିତ ଆଗକୁ ପଳାଇ ଯାଇଥିଲା । ଆଉ ପଛରେ ରହିଯାଇଥିଲା ଅବଶିଷ୍ଟ ୩୦ଟି ବଗି । ପରବର୍ତ୍ତୀ ସମୟରେ ଏହା ଜଣାପଡ଼ିବା ପରେ ଟ୍ରେନକୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଟ୍ରେନକୁ ପଛକୁ ଫେରିବା ସହ ଅବଶିଷ୍ଟ ବଗିକୁ ଯୋଡ଼ା ଯାଇଥିଲା । ତା’ପରେ ଟ୍ରେନଟି ତା’ର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୫ ତାରିଖରେ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଷ୍ଟେସନରେ ଏକ ଟ୍ରେନ ମଝିରୁ ଅଲଗା ହୋଇଯାଇଥିଲା । ୱାଲଟିୟରରୁ ମେରାମୁଣ୍ଡରୀ ଅଭିମୁଖେ ଯାତ୍ରା କରୁଥିବା ଏକ ମାଲବାହୀ ଟ୍ରେନରେ ବାଣୀବିହାର ଷ୍ଟେସନ ନିକଟରେ ଘଟିଥିଲା ଅଘଟଣ । ଇଞ୍ଜିନ ଓ ୨୫ଟି ବଗି ଛାଡ଼ି ଟ୍ରେନଟି ଆଗକୁ ପଳାଇ ଯାଇଥିଲା । ପରବର୍ତ୍ତୀ ସମୟରେ ଟ୍ରେନଟି ପଛକୁ ଫେରିବା ସହିତ ଛିଡ଼ିଯାଇଥିବା ବଗିକୁ ଯୋଡ଼ାଯାଇଥିଲା ।

Get real time updates directly on you device, subscribe now.