fbpx

ଆଗାମୀ ୨୦୨୩-୨୪ ଖରିଫ୍ ଋତୁରେ ଓଡ଼ିଶାରୁ ୪୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ସଚିବ ୨୧.୦୮.୨୦୨୩ ରେ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଆଗାମୀ ଖରିଫ ବିପଣନ ଋତୁ (କେଏମଏସ୍) ୨୦୨୩-୨୪ ରେ ଖରିଫ ଫସଲ ର କ୍ରୟ ବିଷୟରେ ଆଲୋଚନା କରାଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଆଗାମୀ ଖରିଫ ଋତୁରେ ଓଡ଼ିଶାରୁ (୪୪.୨୮ ଲକ୍ଷ ମେଟ୍ରିକ୍ ଟନ୍) ଚାଉଳ କିଣିବେ କେନ୍ଦ୍ର ସରକାର।

ଆଗାମୀ ଖରିଫ୍ ବିପଣନ ଋତୁ (କେଏମଏସ୍) ୨୦୨୩-୨୪ ସମୟରେ ୫୨୧.୨୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର କ୍ରୟର ଲକ୍ଷ୍ୟ ରଖାଯାଇଛି । ଗତ ବର୍ଷର ଅନୁମାନ ୫୧୮ ଲକ୍ଷ ମେଟ୍ରିକ ଟନ୍ ଥିଲାବେଳେ ଗତ ଖରିଫ୍ ବିପଣନ ଋତୁ ୨୦୨୨-୨୩ ସମୟରେ ବାସ୍ତବରେ ୪୯୬ ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ କରାଯାଇଥିଲା। ଖଣିଫ ବିପଣନ ଋତୁ ୨୦୨୩-୨୪ ସମୟରେ ଚାଉଳର ଆନୁମାନିକ କ୍ରୟ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ତାଲିକାରେ ପଞ୍ଜାବ (୧୨୨ ଲକ୍ଷ ମେଟ୍ରିକ୍ ଟନ୍), ଛତିଶଗଡ଼ (୬୧ ଲକ୍ଷ ମେଟ୍ରିକ୍ ଟନ୍), ତେଲଙ୍ଗାନା (୫୦ ଲକ୍ଷ ମେଟ୍ରିକ୍ ଟନ୍), ଓଡ଼ିଶା (୪୪.୨୮ ଲକ୍ଷ ମେଟ୍ରିକ୍ ଟନ୍), ଉତ୍ତର ପ୍ରଦେଶ (୪୪ ଲକ୍ଷ ମେଟ୍ରିକ୍ ଟନ୍), ହରିୟାଣା (୪୦ ଲକ୍ଷ ମେଟ୍ରିକ୍ ଟନ୍), ମଧ୍ୟ ପ୍ରଦେଶ (୩୪ ଲକ୍ଷ ମେଟ୍ରିକ୍ ଟନ୍), ବିହାର (୩୦ ଲକ୍ଷ ମେଟ୍ରିକ୍ ଟନ୍), ଆନ୍ଧ୍ର ପ୍ରଦେଶ (୨୫ ଲକ୍ଷ ମେଟ୍ରିକ୍ ଟନ୍), ପଶ୍ଚିମ ବଙ୍ଗ (୨୪ ଲକ୍ଷ ମେଟ୍ରିକ୍ ଟନ୍) ଓ ତାମିଲନାଡ଼ୁ (୧୫ ଲକ୍ଷ ମେଟ୍ରିକ୍ ଟନ୍) ରହିଛନ୍ତି ।

ବୈଠକ ସମୟରେ ଝୋଟ ବ୍ୟାଗର ଆବଶ୍ୟକତା, ନିର୍ଦ୍ଦିଷ୍ଟ ଡିପୋ ରୁ ଉଚିତ୍ ମୂଲ୍ୟରେ ଦୋକାନ ପର‌୍ୟ୍ୟନ୍ତ ଖାଦ୍ୟାନ୍ନକୁ ପହଞ୍ଚାଇବା ପାଇଁ ମାର୍ଗ ଅନୁକୂଳନ, କ୍ରୟ କେନ୍ଦ୍ରରେ ମୌଳିକ ଢାଞ୍ଚାରେ ଉନ୍ନତି, ଗହମର ଷ୍ଟକ ସୀମା ପୋର୍ଟାଲର ରକ୍ଷଣାବେକ୍ଷଣ ଆଦି ସହିତ ସମ୍ବନ୍ଧିତ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ବୈଠକରେ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ରାଜସ୍ଥାନ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମ ବଙ୍ଗର ମୁଖ୍ୟ ସଚିବ/ ସଚିବ (ଖାଦ୍ୟ) ଏବଂ ପ୍ରତିନିଧିମାନେ ଭାଗ ନେଇଥିଲେ। ବୈଠକରେ ଏଫସିଆଇ ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ଏଫସିଆଇ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଭାରତୀୟ ଜଳବାୟୁ ବିଜ୍ଞାନ ବିଭାଗ ଏବଂ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.