fbpx

ଏଣିକି ବନ୍ୟା, ବାତ୍ୟା, ଭୂକମ୍ପ ପୂର୍ବରୁ ମୋବାଇଲ ଫୋନକୁ ଆସିବ ‘ସତର୍କ ସୂଚନା’: ଖୁବଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ: ଦିନକୁ ଜଳବାୟୁ ପରିବର୍ତ୍ତନ କାରଣରୁ ମଣିଷକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅକାରଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର ଭାଙ୍ଗିରୁଜି ଯାଉଛି । ବର୍ତ୍ତମାନ ସମୟରେ ଗଣମାଧ୍ୟମର ପ୍ରସାର ବୃଦ୍ଧି ଘଟିବା ଫଳରେ ଲୋକମାନେ ବନ୍ୟା, ବାତ୍ୟା ନେଇ ସତର୍କ ହେଉଛନ୍ତି । ତେବେ ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଲୋକଙ୍କୁ ସତର୍କ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଲୋକମାନଙ୍କ ମୋବାଇଲ ଫୋନକୁ ସତର୍କ ମେସେଜ୍ ପଠାଯିବ । ଗତ ଜୁଲାଇ ମାସରେ କିଛି ଲୋକଙ୍କ ଫୋନକୁ ଏଭଳି ମେସେଜ୍ ପଠାଇଥିଲା । ନିକଟରେ କିଛି ଲୋକଙ୍କୁ ମଧ୍ୟ ଏଭଳି ମେସେଜ ପଠାଯିବା ସହ ଏହି ବ୍ୟବସ୍ଥାର ପରୀକ୍ଷଣ କରାଯାଉଛି । କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଲୋକଙ୍କ ପାଖକୁ ଏହି ସତର୍କ ସୂଚନା ପଠାଯିବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏଥିପାଇଁ ଏକ ଆଲର୍ଟ ବ୍ୟବସ୍ଥା ବିକାଶ କରାଯାଉଛି ।

ତେବେ ଏହି ମେସେଜ ଲୋକଙ୍କ ମୋବାଇଲକୁ ଆସିବା ପରେ ଏକ ଶବ୍ଦ ସୃଷ୍ଟି ହେବ । ଫଳରେ କିଛି ଜରୁରୀ ମେସେଜ୍ ଆସିଛି ବୋଲି ଲୋକମାନେ ଜାଣିପାରିବେ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଏମଡିସି)ର ସର୍ବଭାରତୀୟ ଜରୁରୀକାଳୀନ ସତର୍କତା ବ୍ୟବସ୍ଥା ଅଧିନରେ ଏହି ବ୍ୟବସ୍ଥା କରାଯିବ । ସଠିକ୍ ସମୟରେ ଲୋକଙ୍କୁ ସୂଚନା ପ୍ରଦାନ କରି ସରକାର ସମସ୍ତଙ୍କୁ ଆଗୁଆ ସତର୍କ କରାଇବେ । ଉଭୟ ଇଂରାଜୀ ଓ ହିନ୍ଦି ଭାଷାରେ ଏହାକୁ ଜାରି କରାଯିବ । ଆସନ୍ତା ୬-୮ ମାସ ମଧ୍ୟରେ ସାରା ଦେଶଷର ଏହି ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.