ନୂଆଦିଲ୍ଲୀ: ଆସନ୍ତା ମାସ ସେପ୍ଟେମ୍ବରରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ର ମହା ସମ୍ମିଳନୀ । ଏହି ସମ୍ମିଳନୀରେ ସାରା ବିଶ୍ୱର ବଡ଼ ବଡ଼ ନେତାଙ୍କ ଏବଂ ଲୋକମାନେ ଏକଜୁଟ ହେବେ । ଏହି କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆସନ୍ତା ୯ ଏବଂ ୧୦ ତାରିଖରେ ଦିଲ୍ଲୀର ପ୍ରଗତି ମଇଦାନରେ ବୈଠକ ଅନୁଷ୍ଠିତ ହେବ । ତେଣୁ ଦିଲ୍ଲୀ ପୋଲିସ ଏବେଠାରୁ ପ୍ରସ୍ତୁତିପର୍ବ ଆରମ୍ଭ କରିସାରିଛି । ଏହି ସମ୍ମିଳନୀ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ହାଇ ଆଲର୍ଟରେ ରହିବ ରାଜଧାନୀ ଦିଲ୍ଲୀ । ଏହା ସହିତ ଦିଲ୍ଲୀ ପୋଲିସ ଏକ ଅନଲାଇନ ହେଲ୍ପ ଡେସ୍କ ମଧ୍ୟ ସ୍ଥାପନ କରିବ ।
ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଆଗାମୀ ଜି-୨୦ ଶିଖର ସମ୍ମିଳନୀ ପାଇଁ ଯାତାୟତ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ହେଲ୍ପ ଡେସ୍କ ଦ୍ୱାରା ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଅପଡେଟ ରହିବ ଦିଲ୍ଲୀ ପୋଲିସ । ଏ ନେଇ ଦିଲ୍ଲୀରେ ଏକ ପରାମର୍ଶ ଜାରି କରଯାଇଥିବା କହିଛନ୍ତି ପୋଲିସ ସ୍ପେଶାଲ କମିଶନର ସୁରେନ୍ଦ୍ର ସିଂହ ଯାଦବ । ଭାରତରେ ଜି-୨୦ ଭଳି ଏକ ବିରାଟ ସମ୍ମିଳନୀ ଆୟୋଜନ ହେବା ଏକ ବଡ଼ ଗର୍ବର ବିଷୟ ବୋଲି କହିଛନ୍ତି କମିଶନର । ତେବେ ଏହି ସମ୍ମିଳନୀର ମୁଖ୍ୟ କାର୍ୟ୍ୟକ୍ରମ ୯-୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୯ ଦେଶର ପ୍ରମୁଖଙ୍କ ସହିତ ୟୁରୋପୀୟ ଅଧିକାରୀ ମଧ୍ୟ ସାମିଲ ହେବେ ।
ଏହାଛଡା ଆମନ୍ତ୍ରିତ ରାଷ୍ଟ୍ରିୟ ସଂଗଠନ ଏବଂ ୧୪ ଅନ୍ତରାଷ୍ଟ୍ରିୟ ସଂଗଠନ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ । ଏହା ବ୍ୟତୀତ ଦିଲ୍ଲୀ ପୋଲିସର ହେଲ୍ପ ଡେସ୍କ ଜରିଆରେ ରାଜ୍ୟର ସମସ୍ତ ଟ୍ରାଫିକ ରୁଟ ବିଷୟରେ ଅପଡେଟ ରହିବେ ଦିଲ୍ଲୀର ବାସିନ୍ଦା । ସେହିପରି ବିଭିନ୍ନ ସମସ୍ୟାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଏକ ଆମ୍ବୁଲାନ୍ସ ସହାୟତା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତୁତି କରିଛି । ଏହାସହିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜି-୨୦ ସମ୍ମିଳନୀକୁ ନଜରରେ ରଖି ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ଏହି ସମୟରେ ସ୍କୁଲ କଲେଜ ସହିତ ଦିଲ୍ଲୀ ନଗର ନିଗମ କାର୍ଯ୍ୟାଳୟ ଆଦି ଅନୁଷ୍ାଂନ ବନ୍ଦ ରହିବ ।