fbpx

ବିଶିଷ୍ଟ କବି ଓ ବଲିଉଡ ଗୀତିକାର ଦେବ କୋହଲିଙ୍କ ପରଲୋକ: ‘ବାଜିଗର’ ସମେତ ୧୦୦ଟି ଫିଲ୍ମ ପାଇଁ ଲେଖିଥିଲେ ଗୀତ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡର ବିଶିଷ୍ଟ ଗୀତିକାର ଓ କବି ଦେବ କୋହଲିଙ୍କର ପରଲୋକ ଘଟିଛି । ୮୧ ବର୍ଷ ବୟସରେ ଦେବ ମୁମ୍ବାଇ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁରେ ବଲିଉଡ ତଥା ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବହୁ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

‘ବାଜିଗର’, ‘ହମ ଆପକେ ହେଁ କୌନ’, ‘ମୈନେ ପ୍ୟାର କିୟା’, ‘ଶୁଟ ଆଉଟ ଆଟ ଲୋଖଣ୍ଡେୱାଲା’ ପରି ୧୦୦ଟି ଫିଲ୍ମ ପାଇଁ ଦେବ ଗୀତ ରଚନା କରିଥିଲେ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ରଜ୍ଜୋ’ ଫିଲ୍ମରେ ଉତ୍ତମ ସିଂହ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଦେବ ଗୀତ ଲେଖିଥିଲେ । ୧୯୪୨ ମସିହା ନଭେମ୍ବର ମାସ ୨ ତାରିଖରେ ଦେବ ପାକିସ୍ତାନର ରାୱଲପିଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଉତ୍ତରାଖଣ୍ଡର ଡେରାଡୁନରେ ତାଙ୍କର ବାଲ୍ୟଜୀବନ କଟିଥିବା ବେଳେ ସେ ୧୯୪୯ ମସିହା ପରେ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲେ ।

ଦେବ ନିଜ କ୍ୟାରିୟର ମଧ୍ୟରେ ଅନେକ ବଡ଼ ବଡ଼ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଥିଲେ । ୧୯୬୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଶଙ୍କର ଜୟକିଶାନ ଙ୍କଠାରୁ ଅରମ୍ଭ କରି ବିଶାଲ-ଶେଖରଙ୍କ ପରି ଅନେକ ଜେନେରେସନର କମ୍ପୋଜରଙ୍କ ସହିତ ସେ କାମ କରି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଥିଲା । ୧୯୯୩ରେ ଅନୁଙ୍କ ପାଇଁ ଦେବ ‘ବାଜିଗର’ ଫିଲ୍ମର ‘ୟେ କାଲି କାଲି ଆଖେଁ’ ଗୀତ ଲେଖିଥିଲେ । ଉକ୍ତ ଗୀତ ମେଗା ହିଟ୍ ହେବା ସହ ଦେବ ଏଥିପାଇଁ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ।

Get real time updates directly on you device, subscribe now.