fbpx

ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ତଦନ୍ତ ଶେଷ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚ ମାସ ୧୮ ତାରିଖ ସନ୍ଧ୍ୟାରେ ରାଜଧାନୀର ଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ଆତ୍ମହତ୍ୟା କରିଥିଲେ । ତେବେ ପ୍ରେମ ଜନିତ କାରଣରୁ ଡିଜେ ଆତ୍ମହତ୍ୟା କରିଥିବା ବେଳେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା । ଡିଜେଙ୍କ ମୃତ୍ୟୁ ପଛରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ପରେ ଜଣାପଡ଼ିଥିଲା । ତିନିଜଣ ଯୁବତୀ ଡିଜେଙ୍କୁ ଏକ୍ସପୋଜ କରିବାକୁ ହ୍ୱାଟସଆପ୍ ଗ୍ରୁପରେ ଚାଟ୍ କରୁଥିବା ପୋଲିସ ଜାଣିପାରିଥିଲା ।

ଆତ୍ମହତ୍ୟା କରିବା ପୂର୍ବରୁ ଡିଜେ ତାଙ୍କର ପ୍ରେମିକା ଜିଜ୍ଞାସାଙ୍କ ସହିତ ୯୭ ସେକେଣ୍ଡ କଥା ହୋଇଥିଲେ । ଜିଜ୍ଞାସା ରଶ୍ମୀ ନାମକ ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଥିବାରୁ ଡିଜେ ତାହାକୁ ସହ୍ୟ କରିପାରି ନଥିଲେ । ଏନେଇ ଜିଜ୍ଞାସା ଓ ଆଜେକ୍ସଙ୍କର ଏକ ଅଡିଓ କଲ୍ ରେକର୍ଡ ମଧ୍ୟ ଭାଇରାଲ ହୋଇଥିଲା । ପ୍ରେମିକାଙ୍କ ପଛରେ ତାଙ୍କ ପୁଅ ବହୁତ ଅର୍ଥ ଖର୍ଚ୍ଚ କରିଥିବା ଡିଜେଙ୍କ ମାଆ କହିଥିଲେ ।

ତେବେ ଏହା ମଧ୍ୟରେ ଡିଜେଙ୍କ ମୃତ୍ୟୁ ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏବେ ବି ତାଙ୍କର ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି । ପୋଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଡିଜେଙ୍କ ମାଆ ଲକ୍ଷ୍ମୀପ୍ରିୟା ମହାରଣା ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ତେଣୁ ତଦନ୍ତକୁ ଶୀଘ୍ର ଶେଷ କରିବାକୁ ଖାରବେଳ ନଗର ଥାନା ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଏହି ମାମଲାରେ ନିଷ୍କ୍ରିୟତା ପ୍ରକାଶ କରିଥିବା ନେଇ ଲକ୍ଷ୍ମୀପ୍ରିୟା ମାମଲା ଦାୟର କରିଥିଲେ । ତେବେ କିଛିଦିନ ଧରି ଶିଥିଳ ହୋଇ ପଡ଼ିଥିବା ଡିଜେଙ୍କ ମାମଲା ପୁଣି ଥରେ ଚାଲିବ ।

Get real time updates directly on you device, subscribe now.