fbpx

‘ରାଜଧର୍ମ ପାଳନ କରନ୍ତୁ ସରକାର’, ଫଟୋ ଦେଖାଇ କହିଲେ ଅପରାଜିତା ଷଡ଼ଙ୍ଗି-”ମିଶନ ଶକ୍ତି ମହିଳାଙ୍କୁ ଲଗାଇ ସରକାର ମୋ ଉପରେ ଆକ୍ରମଣ କରୁଛନ୍ତି”

ଭୁବନେଶ୍ୱର: ଭୁବନେଶ୍ୱର ସଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗି ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ରାଜଧର୍ମ ପାଳନ କରି ତାଙ୍କୁ ସୁରକ୍ଷା ଦେଉ ନାହାନ୍ତି । ଅପରାଜିତ ଗତ କିଛିଦିନ ମଧ୍ୟରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି । ଏହାରି ମଧ୍ୟରେ କିଛି ସ୍ଥାନରେ ଅପରାଜିତା ବିରୋଧର ସମ୍ମୁଖିନ ହୋଇଥିଲେ । ତେବେ ରବିବାର ଏହି ବିରୋଧ ଆଉ ଟିକିଏ ଆଗେଇ ଯାଇ ଆକ୍ରମଣ ଯାଏଁ କଥା ଯାଇଥିଲା । ଯାହା ପରେ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ଏହି ଅଭିଯୋଗ ଲଗାଇଛନ୍ତି ।

ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଅପରାଜିତା କହିଛନ୍ତି ଯେ, ‘ଭୂବନେଶ୍ୱର ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳିରେ ଗତ ତିନ ଦିନ ହେବ ସେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରୁଛନ୍ତି । ଏହି ସମୟରେ ରବିବାର କିଛି ପ୍ରାୟୋଜିତ ଗୁଣ୍ଡା ଏବଂ ମିଶନ ଶକ୍ତି ମହିଳା ଆସି ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅପରାଜିତା କହିଛନ୍ତି । ଏହା ସହିତ ସେ କହିଛନ୍ତି ରାଜ୍ୟ ସରକାର ମହିଳା ସଶକ୍ତି କରଣ କଥା କହୁଥିବା ବେଳେ ମିଶନ ଶକ୍ତି ମହିଳା ମାନଙ୍କୁ ଲଗାଇ ଜଣେ ମହିଳା ସାଂସଦଙ୍କ ଉପରେ ଆକ୍ରମଣ କରିଛନ୍ତି ।

ସାଂସଦ ଅଭିଯୋଗ କରିଛନ୍ତି, ଯେତେବେଳେ ସେ ତାଙ୍କର କର୍ମୀ ମାନଙ୍କୁ ନେଇ ଗସ୍ତରେ ଯାଇଥିଲେ ସେହି ସମୟରେ ବିଜେଡି କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ । ଏହାପରେ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ବଢି ମୁହାଁମୁହିଁ ଯାଏଁ କଥା ଯାଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ବିଜେପିର ପୁର୍ବତ୍ତନ ସଭାପତି ସମିର ମହାନ୍ତି ମଧ୍ୟ ତାଙ୍କର ଚନ୍ତା ବ୍ୟକ୍ତ କରି ରାଜ୍ୟର ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ଅପରାଜିତାଙ୍କ ଅଭିଯୋଗର ଯବାବରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ସଂସଦଙ୍କୁ ଯେତେବେଳେ ଲୋକମାନେ ସେ କରିଥିବା କାମ ବିଷୟରେ ପ୍ରଶ୍ନ କରୁଛନ୍ତି, ଏଥିରେ ସେ ବିରକ୍ତ ହୋଇ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା କହୁଛନ୍ତି ।

Get real time updates directly on you device, subscribe now.