fbpx

ବୀର ପାଇକ ମାଟି ବରୁଣେଇରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁର, ଢେଙ୍କାନାଳର ସାରଙ୍ଗଧର ଦାସଙ୍କ ଜନ୍ମଭୂମି ହରେକୃଷ୍ଣପୁର ପରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାର ପାଇକ ଭୂମି ବରୁଣେଇ ପାଦଦେଶରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଜ୍ଞାନର ନୂଆ ପରମ୍ପରା ତିଆରି କରିବା ସହ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ସଂକଳ୍ପ କରିବା ପାଇଁ ଯୁବପିଢିଙ୍କୁ ପ୍ରଧାନ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଥମେ ଐତିହାସିକ ଖୋର୍ଦ୍ଧାଗଡ଼ ଏବଂ ବୀର ପାଇକ ମାନଙ୍କର ଆରାଧ୍ୟ ଦେବୀ ମାଆ ବରୁଣେଇ ଓ ମାଆ କରୁଣେଇ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ବରୁଣେଇ ପାହାଡର ପାଦଦେଶରେ ଥିବା ‘ଶହୀଦ ସ୍ମୃତି ସ୍ତମ୍ଭ’ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସ୍ଥାନରୁ ପବିତ୍ର କଳସରେ ମାଟି ସଂଗ୍ରହ କରିବା ପରେ ନିଜେ ସାଇକେଲରେ ଯୁବବର୍ଗଙ୍କ ସହ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । କ୍ୟାମ୍ପସରେ ପହଞ୍ଚବା ପରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓ ବଳିଦାନ ଦେଇଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀ ତଥା ସାହସୀ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ସେଠାରେ ‘ସ୍ମାରକୀ ଫଳକ’ ସ୍ଥାପନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳରେ ଭାରତ ମାନଚ୍ଚିତ୍ର ପ୍ରଦର୍ଶିତ କରିଥିଲେ ।

ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଆୟୋଜିତ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗଦେଇ ସମବେତ ଛାତ୍ରଛାତ୍ରୀଙ୍କୁ ‘ପଞ୍ଚ ପ୍ରାଣ’ର ଶପଥ କରାଇଥିଲେ କେନ୍ଦ୍ରମନ୍ତ୍ରୀ । ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ । ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’ । ‘ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’ ଓ ‘ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା’ ନେଇ ପ୍ରଧାନ ପ୍ରତିଜ୍ଞା କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦ ବର୍ଷ ପୂର୍ବେ ଏହି ବୀର ଭୂମିରେ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସାହସୀ ପାଇକମାନେ ଇଂରେଜ ମାନଙ୍କ ସହ ଲଢେଇ କରିଥିଲେ । ବର୍ତ୍ତମାନର ଜ୍ଞାନ ଆଧାରିତ ଯୁଗରେ ଆମକୁ ଦେଶର ସୈନିକମାନେ ଯେଉଁଭଳି ଭାବରେ ଆମକୁ ସୁରକ୍ଷା ଦେଉଛନ୍ତି ସେହିଭଳି ଭାବରେ ଜ୍ଞାନର ନୂଆ ପରମ୍ପରା ତିଆରି କରିବା ସହ ଦେଶକୁ ନୂଆ ଉଚ୍ଚତାକୁ ନେବା, ଏଭଳି ଆମେ ସଂକଳ୍ପ କରିବା ଦରକାର । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ନିଜର ଯୋଗଦାନ ରଖିବା । ଏହା ଦ୍ୱାରା ଅମୃତ ପିଢିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହେବ ଓ କର୍ତ୍ତବ୍ୟବୋଧ ବଢିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ବଜ୍ର ପ୍ରତିଜ୍ଞା ନେଇଛନ୍ତି । ଦେଶରେ ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରହୁ । ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମୋ ମାଟି ମୋ ଦେଶ ଭଳି ସାମାଜିକ ଆନ୍ଦୋଳନରେ ଯୋଡି ହୋଇ ଏହି ଅଭିଯାନକୁ ସଫଳ କରିବାକୁ ପ୍ରଧାନ ଆହ୍ୱାନ କରିଛନ୍ତି ।

 

Get real time updates directly on you device, subscribe now.