ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଉତ୍ତର ଭାରତରେ ଦେଖିବାକୁ ମିଳିଛି ଗ୍ରୀଷ୍ମ ପ୍ରବାହ । ଅନେକ ସ୍ଥାନରେ ୪୦ ଡିଗ୍ରୀ ପାର କରିଛି ତାପମାତ୍ରା । ପାଣିପାଗ ବିଭାଗ ଅନୁସାରେ ଏହା ଦେଶର ଇତିହାସରେ ସବୁଠାରୁ ଅଧିକ ଗ୍ରୀଷ୍ମପ୍ରବାହ ଏବଂ ଶୁଷ୍କ ଅଗଷ୍ଟ ମାସ । ୧୯୦୧ ମସିହା ପରେ ଚଳିତ ବର୍ଷ ସବୁଠାରୁ ଅଧିକ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହୋଇଛି ।
ଚଳିତ ବର୍ଷ ତାପମାତ୍ରା ୩୫.୪ ଡିଗ୍ରୀ ଉପରେ ଥିଲା, ଯାହା ସାଧାରଣ ତାପମାତ୍ରା ଠାରୁ ୧.୨ ଡିଗ୍ରୀ ଅଧିକ । ଏହା ପୂର୍ବରୁ ୨୦୧୪ରେ ତାପମାତ୍ରା ୩୬.୩ ଡିଗ୍ରୀ ରେକର୍ଡ ହୋଇଥିଲା । ବର୍ଷା ନ ହେବାରୁ ଚଳିତ ବର୍ଷ ଅଗଷ୍ଟ ୧୪ ବର୍ଷର ରେକର୍ଡ ଭାଙ୍ଗିଛି ।
୨୦୨୨ରେ କେବଳ ୪୧.୨ ମିଲିମିଟର ବର୍ଷା ସହିତ ଏହା ସବୁଠାରୁ ଅଧିକ ଶୁଷ୍କ ଅଗଷ୍ଟ ଥିଲା । ଚଳିତ ବର୍ଷ ଅଗଷ୍ଟ ଦ୍ୱିତୀୟ ଶୁଷ୍କ ଅଗଷ୍ଟ ଭାବରେ ଗଣନା କରାଯାଉଛି । ୨୧ ଅଗଷ୍ଟରେ ପାଖାପାଖି ତାପମାତ୍ରା ୩୮.୧ ଡିଗ୍ରୀ ହୋଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ମାସର ରେକର୍ଡ ଦେଖିବାକୁ ଗଲେ ଅଗଷ୍ଟରେ ସର୍ବନିମ୍ନ ତାପମାତ୍ରା ୨୬.୭୭ ଡିଗ୍ରୀ ରେକର୍ଡ ହୋଇଥିଲା । ୩୧ ଅଗଷ୍ଟରେ ତାପମାତ୍ରା ସାମାନ୍ୟରୁ ଟିକେ ଅଧିକ ଥିଲା ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ସେପ୍ଟେମ୍ବରରେ କିଛି ପରିମାଣର ଆଶ୍ୱସ୍ଥି ମିଳିବ । ମୌସୁମୀ ବର୍ଷାର ଗତି ବିଧି କିଛି ପରିମାଣରେ ଠିକ ଦିଗକୁ ଗତି କରିପାରେ । ସେପ୍ଟେମ୍ବରରେ ମଧ୍ୟ ସାମାନ୍ୟରୁ ଅଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ଆଇଏମଡି ଆକଳନ ଅନୁସାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ହୋଇପାରେ ।