fbpx

ଘନୀଭୂତ ହେଲା ଘୂର୍ଣ୍ଣିବଳୟ, ୨୪ଘଣ୍ଟାରେ ଲଘୁଚାପ : ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି । ଏହା ଆଗାମୀ ୨୪ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ୭ ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଅନ୍ୟପକ୍ଷରେ ରାଜ୍ୟର ୧୫ଜିଲ୍ଲାରେ ଘଡଘଡି ସହ ବର୍ଷାନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ଉତ୍ତର ପୂର୍ବାଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥିର ରହିଛି । ଏହା ଦକ୍ଷିଣ ଆଡକୁ ମୁହାଁଇ ସମୁଦ୍ର ପତ୍ତନରୁ ୭.୬କିମି ଉପରେ ବ୍ୟାପ୍ତ ରହିଛି । ଏହାର ପ୍ରଭାବରେ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ସେହିପରି ଦକ୍ଷିଣ ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୦ତାରିଖ ଯାଏଁ ବର୍ଷା ଜାରି ରହିବ । ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ଘନଘନ ବଜ୍ରପାତର ଆଶଙ୍କା ରହିଛି । ତେବେ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୫ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ । ୭ତାରିଖରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.