ଜି-୨୦ ଶିଖର ସମ୍ମିଳନୀରେ ୟୁପିଆଇର ଜଲବ୍ୱା ଦେଖିବ ଦୁନିଆ, ସମସ୍ତ ଡେଲିଗେଟ୍‌ଙ୍କୁ ମିଳିବ ଏକ ଏକ ହଜାର ଟଙ୍କା

ନୂଆଦିଲ୍ଲୀ: ଭାରତରେ ଦୁନିଆର ଶ୍ରେଷ୍ଠ ୨୦ ଆର୍ଥିକ ମହାଶକ୍ତିଙ୍କର ବୈଠକ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ୱରେ ଚଳିତ ସପ୍ତାହରେ ଜି-୨୦ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଅନେକ ବିଶ୍ୱ ନେତା ଅଂଶ ଗ୍ରହଣ କରୁଥିବା ବେଳେ ଏହି ସୁଯୋଗକୁ ଭାରତ ହାତଛଡ଼ା କରିବାକୁ ଚାହୁଁନାହିଁ । ଏହି ବୈଠକରେ ଯୋଗ ଦେଉଥିବା ସମସ୍ତ ନେତାଙ୍କୁ ଭାରତ ଏହାର ଡିଜିଟାଲ କ୍ଷମତା ଦେଖାଇବାକୁ ପ୍ରସ୍ତୁତ ହେଉଛି ।

ଜି -୨୦ ପ୍ରତିନିଧୀଙ୍କୁ ଭାରତର ଆଧାର, ଡିଜି ଲକର ଏବଂ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା ୟୁପିଆଇ ପରି ସଫଳତା ବିଷୟରେ ଜଣାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସମ୍ମିଳନୀ ସମୟରେ ସମସ୍ତ ପ୍ରତିନିଧୀଙ୍କ ନିକଟକୁ ୟୁପିଇ ମାଧ୍ୟମରେ ଟଙ୍କା ପଠାଇବାକୁ ସରକାର ଯୋଜନା କରିଛନ୍ତି । ସମସ୍ତ ପ୍ରତିନିଧୀଙ୍କୁ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ଦେବାର ଯୋଜନା ଅଛି ।

ଏହି ରିପୋର୍ଟରେ ଜଣେ ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ୧୦୦୦ ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ସମସ୍ତ ସମ୍ଭାବ୍ୟ ପ୍ରତିନିଧୀଙ୍କ ପାଇଁ ସରକାର ୱାଲେଟ୍ ତିଆରି କରୁଛନ୍ତି । ସମ୍ମିଳନୀ ସମୟରେ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ୟୁପିଆଇରୁ ସମସ୍ତଙ୍କ ୱାଲେଟକୁ ସ୍ଥାନାନ୍ତର କରାଯିବ । ଶିଖର ସମ୍ମିଳନୀ ସ୍ଥଳରେ ଥିବା ଷ୍ଟଲରୁ ସାମଗ୍ରୀ କିଣିବା ପାଇଁ ସେମାନେ ଏହି ଟଙ୍କା ବ୍ୟବହାର କରିପାରିବେ ।