Asia Cup-2023; ଶାମୀ ନା ଶାର୍ଦ୍ଦୁଳ? Ind vs Pak ମହା ମୁକାବିଲାରେ କିଏ ପାଇବେ ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ର ସୁପର-୪ ମୁକାବିଲାରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ସେପ୍ଟେମ୍ବର ୧୦ ତାରିଖ ରବିବାରରେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି । ପ୍ରଥମ ଲିଗ୍ ମ୍ୟାଚରେ ବର୍ଷା ଯୋଗୁଁ ପଏଣ୍ଟ ଭାଗ ହୋଇଯାଇଥିଲା । ତେଣୁ ଦର୍ଶକ ଏହି ମହାମୁକାବିଲାର ମଜା ଉଠାଇ ପାରି ନଥିଲେ । କିନ୍ତୁ ଆସନ୍ତା ରବିବାର ହେବ ସୁପର ସଣ୍ଡେ । ତେବେ ଏହି ମ୍ୟାଚ ପୂର୍ବରୁ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ଭାରତର କୋଚ୍ ରାହୁଲ ଦ୍ରାବିଡ ।

ପାକିସ୍ତାନ ବିପକ୍ଷରେ ପୁଣିଥରେ ଲଢିବା ପାଇଁ ପ୍ରସ୍ତୁତ ହେଉଛି ରୋହିତ ସେନା । ପ୍ରଥମ ମ୍ୟାଚ ବର୍ଷାରେ ଦୋଇଯିବା ପରେ ଏହି ମ୍ୟାଚକୁ ବିଜୟୀ ହେବା ଲକ୍ଷ୍ୟରେ ଓହ୍ଲାଇବ ଭାରତୀୟ କ୍ରିକେଟ ଟିମ୍ । ତେଣୁ ଏହି ମ୍ୟାଚରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କୋଚ୍ ଏବଂ ଅଧିନାୟକ । ବିଶେଷ କରି ମହମ୍ମଦ ଶାମୀ ଏବଂ ଶାର୍ଦ୍ଦୁଳ ଠାକୁର ଉଭୟ ଖେଳାଳି ଦମଦାର ଫର୍ମରେ ରହିଥିବା ବେଳେ ଉଭୟଙ୍କ ଭିତରୁ କାହାକୁ ସୁଯୋଗ ଦିଆଯିବ ଚିନ୍ତା କରୁଛନ୍ତି କୋଚ୍ । ପ୍ରଥମ ମ୍ୟାଚରେ ଶାର୍ଦ୍ଦୁଳଙ୍କୁ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ସ୍ଥାନ ମିଳିଥିବା ବେଳେ ବ୍ୟାଟିଂରେ ସେ ଫେଲ ମାରିଥିଲେ । ତେବେ ଦ୍ୱିତୀୟ ମ୍ୟାଚ ନେପାଳ ବିପକ୍ଷରେ ବୁମରାହ ଭାରତ ଫେରିଯିବାରୁ ତାଙ୍କ ସ୍ଥାନରେ ଶାମୀ ଦଳରେ ସୁଯୋଗ ପାଇଥିଲେ ।

କିନ୍ତୁ ବର୍ତ୍ତମାନ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶାମୀ-ଶାର୍ଦ୍ଦୁଳଙ୍କ ଭିତରୁ ଜଣକୁ ବାଛିପାରିବ ଟିମ ମ୍ୟାନେଜମେଣ୍ଟ । ପାକିସ୍ତାନ ବିପକ୍ଷ ମ୍ୟାଚରେ ମାତ୍ର ୩ ରନ୍ କରି ପାଭିଲିୟନ ପେରିଥିବା ବେଳେ ବର୍ଷା ଯୋଗୁଁ ବୋଲିଂ କରି ପାରି ନଥିଲେ ଶାର୍ଦ୍ଦୁଳ । ତେବେ ଶାମୀ ବଲକୁ ସ୍ୱିଙ୍ଗ କରିବା ସହ ଶେଷ ଓଭରରେ ୟର୍କ ଫିଙ୍ଗିବାରେ ମାହିର ଅଛନ୍ତି । ସେପଟେ ଶାର୍ଦ୍ଦୁଳ ଦମଦାର ବୋଲିଂ ସହ ବ୍ୟାଟିଂରେ ମଧ୍ୟ କମାଲ କରିପାରିବେ ବୋଲି ଆଶା ରଖିଛି ଟିମ ଇଣ୍ଡିଆ । ତେଣୁ ଉଭୟଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ସେ ନେଇ ଆଲୋଚନା ଜାରି ରହିଛି ।