fbpx

ଜି-୨୦ ଶିଖର ସମ୍ମିଳନୀରେ ଭାରତର କୂଟନୈତିକ ବିଜୟ: ଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରି

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ତେବେ ଏହି ସମ୍ମିଳନୀର ପ୍ରଥମ ଦିନରେ ଭାରତକୁ ଏକ ବଡଧରଣର ସଫଳତା ମିଳିଛି । ନୂଆଦିଲ୍ଲୀରେ ପ୍ରସ୍ତୁତ ଜି୨୦ରେ ଘୋଷଣାପତ୍ରକୁ ଅନୁମୋଦନ ପ୍ରଦାନ କରାଯାଇଛି । ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ସେ ଜି-୨୦ର ସମସ୍ତ ସଦସ୍ୟ ଓ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମୋଦୀ କହିଥିଲେ ଆମର କଠିନ ପରିଶ୍ରମ ଓ ଆପଣ ସମସ୍ତଙ୍କ ସହଯୋଗରେ ଜି-୨୦ ସମ୍ମିଳନୀର ଘୋଷଣାପତ୍ର ଉପରେ ସହମତି ପ୍ରକାଶ ପାଇଛି ।

ଏହି ୩୭ ପୃଷ୍ଠାର ଘୋଷଣାପତ୍ରକୁ କାର୍ଯ୍ୟକାରୀ କରାଯାଉ ବୋଲି ସେ କହିଥିଲେ । ଜି-୨୦ ସମ୍ମିଳନୀରେ ସାଇବର ସିକ୍ୟୁରିଟ ଉପରେ ଗୁରୁତ୍ୱାରୋପ କରାଯିବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଥ୍ରୀଏଫ୍‌ ଅର୍ଥାତ୍ ଫୁଡ, ଫୁଏଲ ଏବଂ ଫର୍ଟିଲାଇଜରକୁ ମଧ୍ୟ ଗୁରୁତ୍ୱଆରୋପ କରାଯାଇଥିଲା । ସେହିପରି ଆତଙ୍କବାଦ ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପାଇଁ ବିପଦ ହୋଇଥିବାରୁ ଆତଙ୍କବାଦ ବିରୋଧୀ ଅଭିଯାନକୁ ସବୁ ରାଷ୍ଟ୍ର ସମର୍ଥନ ଜଣାଇଥିଲେ । ସେହିପରି ମନିଲଣ୍ଡରିଂ ଉପରେ ମଧ୍ୟ ସବୁ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଥିଲେ ।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଆମେ ଏପରି ସମୟରେ ଉପନୀତ ହୋଇଛୁ ଯେ, ଯେଉଁଠି ଆମକୁ ଦୁନିଆକୁ ଦିଗ୍‌ଦର୍ଶନ ଦେବାକୁ ପଡିବ । ବର୍ଷବର୍ଷ ଧରି ଲାଗି ରହିଥିବା ସମସ୍ୟା ଆମଠାରୁ ନୂଆ ସମାଧାନ ଆଶା କରୁଛି । ସେ କହିଥିଲେ ଆମ ଆଗରେ ବର୍ଷ ବର୍ଷର ପୁରୁଣା ସମସ୍ୟା ଦଣ୍ଡାୟନମାନ ହୋଇଛି । ମାନବିକତାକୁ ପ୍ରାଥମିକତା ଦେଇ ଆମେ ଏହିସବୁ ସମସ୍ୟାର ସମାଧାନ କରିବା ଜରୁରୀ । ଆମେ ସମସ୍ତେ ମିଳିମିଶି ଏହି ସମସ୍ତ ବାଧାବିଘ୍ନ ଅତିକ୍ରମ କରି ପାରିବା ବୋଲି ମୋଦୀ କହିଥିଲେ । ମୋଦୀଙ୍କ ଭାଷଣ ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.