କେମିତି ହୋଇଥିଲା ଲାଡେନର ହତ୍ୟା: କାହିଁକି ଜାରି କରାଯାଇ ନଥିଲା ଆତଙ୍କବାଦୀର ମୃତଦେହର ଫଟୋ

ନୂଆଦିଲ୍ଲୀ: ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ବିଶ୍ୱର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନ ଆମେରିକାର ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା । ତେବେ ଏହି ଘଟଣାର ପାଖାପାଖି ୧୦ ବର୍ଷ ପରେ ପ୍ରତିଶୋଧ ନେଇଥିଲା ଆମେରିକା । ପାକିସ୍ତାନର ଆବୋଟାବାଦ ସହରରଏକ ଘରେ ଲାଡେନ ଦୀର୍ଘଦିନ ଧରି ଗୋପନରେ ରହୁଥିବା ଆମେରିକା କୌଣସି ସୂତ୍ରରୁ ସୁରାକ ପାଇଥିଲା । ଏହାପରେ ୨୦୧୧ ମସିହା ମେ ମାସ ୨ ତାରିଖରେ ଆମେରିକାର କମାଣ୍ଡୋ ବାହିନୀ ଲାଡେନ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ ।

ତେବେ ମୃତ୍ୟୁ ପରେ ଲାଡେନର ଶବକୁ କେହି ଦେଖିନାହାନ୍ତି । ତେଣୁ ତା’ର ଶବ ସହ କ’ଣ କରାଗଲା ତାହା ଏବେ ବି ରହସ୍ୟ ହୋଇ ରହିଛି । ଲାଡେନକୁ ହତ୍ୟା କରିବା ପାଇଁ ଆମେରିକା ‘ଅପରେସନ ନେପଚ୍ୟୁନ ସ୍ପିୟର’ ଚଳାଇଥିବା ବେଳେ ସେଥିରେ ପାଖାପାଖିରେ ୨୪ ଜଣ ନୌବାହିନୀ କମାଣ୍ଡୋ, ଦୁଇଟି ବ୍ଲାକ ହକ୍ ହେଲିକପ୍ଟରକୁ ସାମିଲ କରାଯାଇଥିଲା । ତୃତୀୟ ମହଲାରେ ଲାଡେନ ତା’ର ପରିବାର ସହିତ ଲୁଚି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଅପରେସନର ସୁରାକ ତାକୁ ମିଳିଥିଲା । ମାତ୍ର ସେ ଫେରାର ହେବାର ସମସ୍ତ ରାସ୍ତାକୁ କମାଣ୍ଡୋମାନେ ବନ୍ଦ କରିଦେଇଥିଲେ ।

କମାଣ୍ଡୋମାନେ ଗୋଟିଏ ପରେ ଗୋଟିଏ ଗୁଳି ଲାଡେନକୁ ମାରିଥିଲେ । ଅନ୍ୟପକ୍ଷରେ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ଅନ୍ୟ ଅଧିକାରୀମାନେ ହ୍ୱାଇଟ୍ ହାଉସରେ ବସି ଏହି ଘଟଣାର ଲାଇଭ୍ ଦେଖୁଥିଲେ । ଲାଡେନକୁ ହତ୍ୟା କରାଯିବା ପରେ ତା’ର ଶବକୁ କମାଣ୍ଡୋମାନେ ଏକ ବ୍ୟାଗରେ ପ୍ୟାକ୍ କରି ଆଫଗାନିସ୍ତାନ ନେଇଯାଇଥିଲେ । ତା’ପରେ ସେଠାରୁ ଏକ ସ୍ୱତନ୍ତ୍ର ଯୁଦ୍ଧ ଜାହାଜରେ ତାକୁ ୟୁଏସଏସ କର୍ଲ ଭିନସନକୁ ନିଆଯାଇଥିଲା । ତେବେ ଲାଡେନର ଶରୀରର ଛୋଟ ଛୋଟ ଅଂଶକୁ ସମୁଦ୍ରରେ ଫୋପାଡ଼ି ଦିଆଯାଇଥିଲା ବୋଲି କିଛି ଏକ୍ସପର୍ଟ କହୁଛନ୍ତି । କାରଣ ତା’ ପୂର୍ବରୁ ଆମେରିକା ଅନେକ ଆତଙ୍କବାଦୀ ସହ ଏପରି କରିଥିଲା ।

ଯଦି ଲାଡେନର ଶବକୁ ଇସଲାମିକ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯାଏ ତେବେ ଆତଙ୍କବାଦୀମାନେ ପ୍ରତିଶୋଧ ନେଇ ପାରନ୍ତି ବୋଲି ଆମେରିକାର ଡର ରହିଥିଲା । ଅନ୍ୟପକ୍ଷରେ ଲାଡେନର ଜନ୍ମଦେଶ ସାଉଦି ଆରବ ତା’ର ମୃତଦେହକୁ ଗ୍ରହଣ କରିବାକୁ ମନା କରିଦେଇଥିଲା । ତେଣୁ ସବୁ ଦାୟିତ୍ୱ ଆମେରିକା ମୁଣ୍ଡ ଉପରେ ରହିଥିଲା । ଆତଙ୍କବାଦୀର ମୃତଦେହକୁ ସମ୍ପୂର୍ଣ୍ଣ ଇସଲାମିକ ରୀତିନୀତିରେ ଧଳା କଫିନରେ ଢାଙ୍କି ଦିଆଯାଇଥିଲା । ଆରବୀ ଭାଷାର ଜଣେ ଅନୁବାଦକଙ୍କ ଦ୍ୱାରା ପ୍ରାର୍ଥନା କରାଯିବା ପରେ ଶରୀରକୁ ବାକ୍ସରେ ବନ୍ଦ କରି ସମୁଦ୍ରରେ ଫୋପାଡ଼ି ଦିଆଯାଇଥିଲା । ଶବ ଯେପରି ଫୁଲି ଉପରକୁ ନ ଆସେ ସେଥିପାଇଁ ସେହି ଡିବା ଶହେ କେଜିରୁ ଅଧିକ ଓଜନର ଏକ ଶିଙ୍କୁଳି ସହିତ ବନ୍ଧା ଯାଇଥିଲା ।

ଲାଡେନର ମୃତ୍ୟୁ ପରେ ପରେ ବି ତାଙ୍କର ମୃତ୍ୟୁ ଘଟିନାହିଁ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ତାକୁ ବନ୍ଦୀ କରି ରଖାଯାଇଥିବା ମଧ୍ୟ କୁହାଯାଉଥିଲା । ଆତଙ୍କବାଦୀକୁ ହତ୍ୟା କରାଯାଇଥିଲେ ତା’ର ଫଟୋ ଜାରି କରାଯାଇଥାନ୍ତା ବୋଲି ଅନେକ ପ୍ରଶ୍ନ କରିଥିଲେ । ଲାଡେନର ମୁଣ୍ଡକୁ ଗୁଳି ମରାଯାଇଥିଲା ବୋଲି ଓବାମା କହିଥିଲେ । ମାତ୍ର ହିଂସା ବଢ଼ିବା ଆଶଙ୍କାରେ ଆମେରିକା ଶବର କୌଣସି ଫଟୋ ଜାରି କରିନଥିଲା । ଏପରିକି ମୃତଦେହର ଛୋଟ ଅଂଶ ହିନ୍ଦୁ-କୁଶ ପାହାଡ଼ରେ ଫୋପାଡ଼ି ଦିଆଯାଇଥିବା ମଧ୍ୟ କିଛି ସାମ୍ବାଦିକ କହିଥିଲେ ।