ଭୁବନେଶ୍ୱର: ଗତ କିଛି ଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ । ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ଯେଉଁଥି ପାଇଁ ଦଳ ପକ୍ଷରୁ ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ଏହା ପୁର୍ବରୁ ସୌମ୍ୟଙ୍କ ସଂପାଦକୀୟ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମୁଖପାତ୍ର ପ୍ରତାବ ଦେବ ତାଙ୍କୁ ସମାଲୋଚନା କରି କହିଥିଲେ କି ସୌମ୍ୟ ଦଳରେ ରହି ଦଳ ବିରୁଦ୍ଧ କାଯ୍ୟ କରୁଛନ୍ତି । ଏଥିରେ ପ୍ରତିକ୍ରିୟା ଦେଇ ସୌମ୍ୟ ଦଳର ଭଲ ପାଇଁ ଏପରି କହୁଥିବା ଯୁକ୍ତି ବାଢିଥିଲେ ଏବଂ ଗଣମାଧ୍ୟମରେ ଦଳର ସଭାପତି ନବୀନଙ୍କ ନିସ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।
ତେବେ ସୌମ୍ୟଙ୍କ ସମ୍ପାଦକୀୟ ପାଇଁ ତାଙ୍କୁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରଶାଂସା କରାଯାଇଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୌମ୍ୟ ରଞ୍ଜନଙ୍କୁ ସାହାସୀ କହିଥିବା ବେଳେ କଂଗ୍ରେସ ମଧ୍ୟ ତାଙ୍କ ସମର୍ଥନରେ ବାହାରିଥିଲା । ବିଜେଡିରେ ଏତେ ନେତା ଥିଲେ ମଧ୍ୟ ରାଜ୍ୟ ସରକାରରେ ଅଧିକାରୀ ମାନଙ୍କ ବଢୁଥିବା ପ୍ରାଧାନ୍ୟତା ବିରୋଧରେ କେହି ମୁହଁ ଖୋଲୁ ନଥିବା ବିରୋଧି ମାନେ କହିଥିଲେ ।