ଆସନ୍ତାକାଲି ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି, ସେହିପରି ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆରମ୍ଭ ହେବ ପିଏମ୍ ବିଶ୍ୱକର୍ମା ଯୋଜନା
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିବେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉଦ୍ଦେଶ୍ୟରେ ଏହି ଅଭିଯାନର ଶୁଭାରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ପଦକ୍ଷେପ ନିଆଯାଇଥିବାବେଳେ ଏହି ଅଭିଯାନ ମାଧ୍ୟମରେ ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଆୟୁଷ୍ମାନ ଭାରତ ଯୋଜନାର ଅଦ୍ଭୁତପୂର୍ବ ସଫଳତା ପରେ ଏହି ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ଆସନ୍ତା ୧୭ ତାରିଖରୁ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ଜୟନ୍ତୀ ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ । ସୂଚନା ଅନୁସାରେ ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ସେ କହିଥିଲେ, ପାରମ୍ପରିକ କୁଶଳୀ ଶ୍ରମିକ ରାଜମିସ୍ତ୍ରୀଙ୍କଠାରୁ ସ୍ୱଣ୍ଣକାରଙ୍କ ପର୍ଯ୍ୟନ୍ତ ଏକ ନୂଆ ମାନବଶକ୍ତି ଦେବାଲାଗି ‘ବିଶ୍ୱକର୍ମା ଯୋଜନା’ ଆରମ୍ଭ କରାଯିବ । ଏଥିପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ କରାଯିବା ନେଇ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ।