fbpx

ଏହି ସ୍କୁଲରେ ଡ୍ରପଆଉଟ୍ ରେଟ୍ ଶୂନ, କାରଣ ଜାଣିଲେ ଆପଣ ବି ପ୍ରଶଂସା ନ କରି ରହିପାରିବେନି

ନୂଆଦିଲ୍ଲୀ: ଦୁନିଆର ସବୁ ପିଲାଙ୍କ ଲାଗି ଶିକ୍ଷା ବହୁତ ଜରୁରୀ ହୋଇଥାଏ । ଏକ ଶିଶୁ ଶିକ୍ଷା ଲାଭ କରି ହିଁ ସମାଜ ପାଇଁ କିଛି କରିପାରିବ । ଯେଉଁ ଦେଶରେ ଶିକ୍ଷାର ହାର ଯେତେ ଅଧିକ ସେହି ଦେଶ ସେତେ ଉନ୍ନତି କରି ପାରିଥାଏ । ଆମ ଦେଶରେ ଶିକ୍ଷିତଙ୍କ ହାର ଓ ଶିକ୍ଷାର ଗୁଣବତ୍ତା ଦିନକୁ ଦିନ ବଢିଚାଲିଛି ସତ ଏହା ସହିତ ଶିକ୍ଷା ଅଧିକ ମହଙ୍ଗା ହେବାରେ ଲାଗିଛି । ଆଜିର ଯୁଗରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ହେଲେ ପିତାମାତାଙ୍କୁ ବହୁ ପୂର୍ବରୁ ଅର୍ଥ ସଞ୍ଚୟ କରି ରଖିବାକୁ ପଡୁଛି । ବହୁ ସ୍କୁଲରେ ତ ଏବେ ଫି’ ଲକ୍ଷେ ପର୍ଯ୍ୟନ୍ତ ପହଞ୍ଚିଗଲାଣି । ଏହି କ୍ରମରେ ସୋସିଆଲ ମିଡିଆରେ ଏବେ ଆସାମର ଏକ ସ୍କୁଲ ଚର୍ଚ୍ଚାକୁ ଆସିଛି । ଏହି ସ୍କୁଲରେ ଡ୍ରପଆଉଟ୍ ରେଟ୍ ଶୂନ ରହିଛି । କେବଳ ଏତିକି ନୁହେଁ ଏଠାରେ ପଢୁଥିବା ପିଲାମାନେ ନିଜ ଖର୍ଚ୍ଚ ନିଜେ ସମ୍ଭାଳିଥାନ୍ତି । ସବୁଠାରୁ ବଡ କଥା ଏହି ସ୍କୁଲର ପିଲାମାନଙ୍କୁ ସ୍କୁଲ ଫି’ ଜମା କରିବାକୁ ପଡି ନ ଥାଏ । ତେବେ ଏହାର ଅର୍ଥ ନୁହେଁ ଏଠାରେ ସ୍କୁଲ ଫି’ ଦେବାକୁ ପଡେ ନାହିଁ । କିନ୍ତୁ ଫି’ ଆକାରରେ ପଇସା ନୁହେଁ ପିଲାମାନଙ୍କୁ ଦେବାକୁ ପଡିଥାଏ ଖାଲି ପ୍ଲାଷ୍ଟିକ ବୋତଲ ।

ଆସାମର ଏହି ସ୍କୁଲରେ ଗ୍ରାମାଞ୍ଚଳର ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି । ପଇସା ବଦଳରେ ଏଠାରେ ପିଲାମାନେ ମାସକୁ ଥରେ ୨୫ଟି ଖାଲି ପାଣି ବୋତଲ ଜମା କରିଥାନ୍ତି । ଏହିପରି ଏକ ସ୍କୁଲ ଖୋଲିବାର ଆଇଡିଆ ଏକ ଦମ୍ପତିଙ୍କ ମନ ମଧ୍ୟକୁ ଆସିଥିଲା । ଏହି ଅଞ୍ଚଳରେ ଜମା କୁଢ କୁଢ ଆବର୍ଜନା ଓ ଶିକ୍ଷାର ଅଭାବ ପରି ସ୍ଥିତି ଦେଖି ସେମାନେ ଏଠାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ପାରମିତା ଓ ମଞ୍ଜିନ ଏହି ସମସ୍ୟାକୁ ସମାଧାନ କରିବା ଲାଗି ଏପରି ସ୍କୁଲ ଖୋଲିଥିଲେ ଯେଉଁଠି ପିଲାଙ୍କୁ ପାଠ ପଢାଯିବା ସହିତ ଫି’ ଆକାରରେ ପ୍ରତି ସପ୍ତାହରେ ସେମାନଙ୍କୁ ୨୫ ପ୍ଲାଷ୍ଟିକ ବୋତଲ ଜମା କରିବାକୁ କୁହାଯାଇଥାଏ ।

ଏହି ସ୍କୁଲରେ ଆଜି ପର୍ଯ୍ୟନ୍ତ କୌଣସି ପିଲା ଅଧାରୁ ପାଠ ଛାଡି ଯାଇନାହିଁ । ଏହି ସ୍କୁଲ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସ୍ୱରୋଜଗାର ବି ଶିଖାଇଥାଏ । ପିଲାମାନେ ଏଠାରେ ପଢିବା ସହିତ କାଠରେ ବିଭିନ୍ନ କାରୁକାର୍ଯ୍ୟ, ଗାର୍ଡେନିଂ ଓ ଅନ୍ୟାନ୍ୟ କଳା ଶିକ୍ଷାଲାଭ କରି ସ୍ୱାବଲମ୍ବୀ ହୋଇଥାନ୍ତି । ଏହି ସ୍କୁଲରେ ଜମା କରାଯାଉଥିବା ପ୍ଲାଷ୍ଟିକ ବୋତଲ ବିଭିନ୍ନ ପ୍ରକାର ଜିନିଷ ନିର୍ମାଣରେ ଉପଯୋଗ କରାଯାଏ । ଏହିସବୁ ବୋତଲ ସଡକ ନିର୍ମାଣ, ଶୌଚାଳୟ ନିର୍ମାଣ ଆଦିରେ କାମରେ ଆସିଥାଏ ।

Get real time updates directly on you device, subscribe now.