fbpx

ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା…ରନ୍‌ୱେରୁ ଖସିପଡିଲା ଏକ ଘରୋଇ ଚାର୍ଟର୍ଡ ବିମାନ

ଓଡିଶା ଭାସ୍କର; ଏକ ଘରୋଇ ଚାର୍ଟର୍ଡ ବିମାନ ମୋଟ ଆଠ ଜଣଙ୍କ ସହ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନ୍‌ୱେରୁ ଖସି ପଡିଛି। ପ୍ରବଳ ବର୍ଷା ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଦୁଇ ଜଣ କ୍ରିୟୁ ମେମ୍ବରଙ୍କ ସମେତ ଆଠ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ତେବେ ଏହି ଦୁର୍ଘଟଣା ପରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ମୁମ୍ବାଇ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ବିମାନ ଦେଖିବାକୁ ମିଳୁଛି।

ଡିଜିସିଏ କହିଛନ୍ତି ଯେ ବିଶାଖାପାଟଣାରୁ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିବା VSR ଭେଞ୍ଚର୍ସ ଲିୟରଜେଟ୍‌ ୪୫ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି VT-DBL ମୁମ୍ବାଇ ବିମାନବନ୍ଦରର ୨୭ ନମ୍ବର ରନ୍‌ୱେରେ ଲ୍ୟାଣ୍ଡିଂ କରିବା ସମୟରେ ଖସି ଯାଇଥିଲା। ଏହା ସହ ଦୁର୍ଘଟଣା ସମୟରେ ବିମାନରେ ନିଆଁ ମଧ୍ୟ ଲାଗିଯାଇଥିଲା। କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା। ବର୍ଷା କାରଣରୁ ବିମାନବନ୍ଦରରେ ୭୦୦ ମିଟର ପର୍ୟ୍ୟନ୍ତ ହିଁ ଦୃଶ୍ୟମାନ ହେଉଥିଲା। ଏହା ପରେ ପରେ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ସୂଚନା ଥାଉକି, ଲିୟରଜେଟ୍‌ ୪୫ ହେଉଛି ୯ ସିଟ୍‌ ବିଶିଷ୍ଟ ସୁପର୍‌-ଲାଇଟ୍‌ ବିଜିନେସ୍‌ ଜେଟ୍‌। କାନାଡାସ୍ଥିତ ବମ୍ବେଡିଅର୍‌ ଆଭିଏସନର ଏକ ଡିଭିଜନ ଦ୍ୱାରା ଏହା ନିର୍ମିତ। ଏହି ଦୁର୍ଘଟଣା ସନ୍ଧ୍ୟା ୫ଟାରେ ହୋଇଥିବା ସୂଚନା ରହିଛି।

Get real time updates directly on you device, subscribe now.