ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଯୁଗ୍ମ ସୁରକ୍ଷା ଅପରେସନରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ଲୁଚିଥିବା ସନ୍ଦିଗ୍ଧ ସ୍ଥାନମାନଙ୍କରେ ଯବାନମାନେ ଡ୍ରୋନ ଜରିଆରେ ଗ୍ରେନେଡ୍ ମାଡ଼ କରୁଛନ୍ତି । ଆର୍ମି ଓ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଏହି ଅପରେସନ ଗତ ୧୨-୧୩ ତାରିଖଠାରୁ ଚାଲିଛି ।
ଦୀର୍ଘ ୪୮ ଘଣ୍ଟାର ଅପରେସନରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ତେବେ ନିଖୋଜ ଯବାନଙ୍କର ଏବେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଆଜି ସକାଳେ ମଧ୍ୟ ଜଣେ ଯବାନ ସହିଦ ହୋଇଥିଲେ । ଗତ ବୁଧବାର ଦିନ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଡି ଓ ଡିଏସପି ହୁମାୟୁନ ଭଟ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ଫଳରେ ମୋଟ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।
ତେବେ ସହିଦ ଯବାନଙ୍କୁ ହରାଇ ସେମାନଙ୍କର ପରିବାରରେ ଏବେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ଦିନରେ ଦେଶର ୩ ଜଣ ବଡ଼ ଅଫିସର ସହିଦ ହେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦେଶବାସୀ । ଏହି ଘଟଣା ପରେ ପାକିସ୍ତାନ ସହ ସମ୍ପର୍କ ଛିନ୍ନ କରିବାକୁ ଦାବି ଉଠିଛି । ସିନେମାଠାରୁ ଆରମ୍ଭ କରି କ୍ରିକେଟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାକିସ୍ତାନ ସହ ସମ୍ପର୍କ ତୁଟାଇବାକୁ କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ କହିଛନ୍ତି । ଶ୍ରୀ ସିଂହଙ୍କୁ ଏହି ପ୍ରସଙ୍ଗରେ ଶିବସେନା ସମର୍ଥନ କରିଛି ।