fbpx

‘ସାର, ମୋତେ ଖାଇବା ଓ ପଢ଼ିବା ପାଇଁ ସହଯୋଗ କଲେ ମୁଁ ଭଲ ପାଠ ପଢ଼ି ଦେଶର ସେବା କରିବି’: ମୁଖ୍ୟମନ୍ତ୍ରୀଙ୍କୁ ଏକ ଅନାଥ ଝିଅର ଦୁଃଖଭରା ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ଅନେକ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ମାତ୍ର କମ୍ ବୟସରୁ ଜୀବନରେ ସଂଘର୍ଷ କରିବା ବୋଧହୁଏ ଖୁବ କମ୍ ଲୋକଙ୍କ ଜୀବନରେ ଦେଖିବାକୁ ମିଳିଥାଏ । କୁହାଯାଏ ଯାହାର ବାପାମାଆ ନାହାନ୍ତି ତା’ର ଏ ଦୁନିଆରେ କେହି ନାହାନ୍ତି । ତେଣୁ ଏଭଳି ସ୍ଥିତିରେ କମ୍ ବୟସର ପିଲାମାନେ ସମାଜରେ ନିଜକୁ ବଞ୍ଚାଇ ରଖିବା ପାଇଁ ବହୁ କଷ୍ଟ ସ୍ୱୀକାର କରିଥାନ୍ତି ।

ଏଭଳି ଏକ ଦୁଃଖଭରା ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ । ସାନଖେମୁଣ୍ଡି ବ୍ଲକର ମୌଳାଭଣଜା ପଞ୍ଚାୟତର ରାଧାନଗର ଗ୍ରାମର ୧୦ ବର୍ଷ ବୟସର ଝିଅ ଝରଣା ନାଇକ । ଜନ୍ମ ପୂର୍ବରୁ ବାପା ଆର ପାରିକୁ ଚାଲିଗଲେ । ଆଉ ତା’ପରେ ଜନ୍ମ ହେବାର ୪ ବର୍ଷ ପରେ ମାଆ ଚାଲିଗଲେ । ତଥାପି ହାର ମାନି ନଥିଲା ନିରୀହ ଝରଣା । ଦୀର୍ଘ ୬ ବର୍ଷ ହେଲା ଅନାଥ ଝିଅ ଝରଣା କେମିତି ଯେ ବଞ୍ଚିଛି ତାହା ଭାବିଲା ବେଳକୁ ଆଖିରୁ ଅଶ୍ରୁ ଝରିଆସେ ।

ତଥାପି ଭାଙ୍ଗି ପଡ଼ିନି ଝରଣା । ମଜୁରୀ ଖଟି ପରିବର ପ୍ରତିପୋଷଣ କରୁଥିବା ବାପା ଚାଲିଗଲେ । ଆଉ ତା’ପରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ ମାଆ ଚାଲିଗଲେ । ହତଭାଗା ଝିଅଟି ଭାଗ୍ୟରେ ଏଇଆ ହିଁ ଲେଖାଥିଲା । ସରକାରୀ ସହାୟତା କହିଲେ କେବଳ ୫ କେଜି ଚାଉଳ ମିଳୁଛି । ଝରଣା ଦିନକୁ ଦୁଇ ମୁଠା ଭଲରେ ଖାଇବାକୁ ପାଉନଥିବା ବେଳେ ସ୍କୁଲକୁ ଯିବା ପାଇଁ ତା’ ପାଖରେ ଭଲ ବ୍ୟାଗ ଖଣ୍ଡେ ନାହିଁ ।

ତେଣୁ ଝରଣାର ଏଭଳି କଠିନ ପରିସ୍ଥିତିରେ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମାବାସୀ ନିବେଦନ କରିଛନ୍ତି । ନିଜର ଦୁଃଖ ଦୂର କରିବା ପାଇଁ ଝରଣା ମୁଖ୍ୟମନ୍ତ୍ରୀ ଓ ‘୫ଟି’ ସଚିବଙ୍କ ନିକଟକୁ ଚିଠି ଲେଖିଛି । ‘ସାର ଖାଇବା ଓ ପଢ଼ିବା ପାଇଁ ସହଯୋଗ କଲେ ମୁଁ ଭଲ ପାଠ ପଢ଼ିବି, ଜଣେ ଭଲ ପୋଲିସ ଅଫିସର ହୋଇ ଦେଶବାସୀଙ୍କ ସେବା କରିବି’ ବୋଲି ଝରଣା ଚିଠିରେ ଲେଖିଛି ।

Get real time updates directly on you device, subscribe now.