fbpx

ନାବାଳିକା ଘରୋଇ ସହାୟିକାଙ୍କ ସହ ଅମାନବୀୟ ଅତ୍ୟାଚାର, ରକ୍ତ ପିଆଇବା ସହ ଖୁଆଉଥିଲେ ଡଷ୍ଟବିନର ଅଳିଆ

ଗୌହାଟୀ: ଆସାମରେ ଅମାନବୀୟ ଆଚରଣର ସବୁ ସୀମା ଟପି ଯାଇଛନ୍ତି ଜଣେ ସେନା ମେଜରଙ୍କ ପତ୍ନୀ । ସେ ନିଜ ଘରେ ଥିବା ନାବାଳିକା ଘରୋଇ ସହାୟିକା ସହ ଏପରି ବ୍ୟବହାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରୀ ଉଠିବ । ସେ ନାବାଳିକାଙ୍କୁ ଏପରି ମାରପିଟ୍ କରୁଥିଲେ ଯେ, ନାବାଳିକାଙ୍କର ଦାନ୍ତ ସବୁ ଭାଙ୍ଗି ଯାଇଛି । ଏହା ସହିତ ମେଡିକାଲ ରିପୋର୍ଟରୁ ଜଣାଯାଇଛି ନାବାଳିକାଙ୍କର ନାକ ହାଡ ଭାଙ୍ଗିଯାଇଛି ଓ ତାଙ୍କ ଜିଭ କଟିଯାଇଛି । ପୋଲିସ କହିଛି ବହୁ ସମୟରେ ପିଲାଟିକୁ ନିଃବସ୍ତ୍ର ରଖାଯାଉଥିଲା ।

୧୬ ବର୍ଷୀୟ ଏହି ନାବାଳିକାର ସାରା ଶରୀରରେ ଆଘାତର ଚିହ୍ନ ରହିଛି । ଗତ ୬ ମାସ ଧରି ମେଜରଙ୍କ ପତ୍ନୀ ନାବାଳିକା ସହ ଅତ୍ୟାଚାର କରି ଆସୁଥିଲେ । ସବୁଠାରୁ ହୃଦୟ ବିଦାରକ କଥା ହେଉଛି ନାବାଳିକା ଯେତେବେଳେ ଖାଇବାକୁ ମାଗୁଥିଲା ସେତେବେଳେ ତା’ର ମାଲିକାଣୀ ତାକୁ ଡଷ୍ଟବିନରୁ ଅଳିଆ ଆଣି ଖାଇବାକୁ କହୁଥିଲେ । ପୀଡିତା କହିଛନ୍ତି ଶରୀରରୁ ରକ୍ତ ବୋହିବା ପର୍ଯ୍ୟନ୍ତ ତାକୁ ଆକ୍ରମଣ କରାଯାଉଥିଲା । କେବଳ ଏତିକି ନୁହେଁ ତାକୁ ନିଜ ଶରୀରର ରକ୍ତ ଚାଟିବାକୁ ବି ବାଧ୍ୟ କରାଯାଉଥିଲା । ଏବେ ମେଜରଙ୍କ ପତ୍ନୀଙ୍କ ବିରୁଦ୍ଧରେ ପକ୍ସୋ ଓ ଏସସି ଓ ଏସଟି ଆଇନ ଜରିଆରେ ମାମଲା ରୁଜୁ କରାଯାଇଛି ।

ଏହି ମାମଲାରେ ପୋଲିସ କହିଛି ନାବାଳିକାକୁ ଘରେ ରଖି କାମ କରାଇବା ଅଭିଯୋଗରେ ବି ଏହି ମେଜରଙ୍କ ବିରୁଦ୍ଧରେ କେସ୍ ରୁଜୁ କରାଯାଇଛି । ଏହି ମେଜର ହିମାଚଳପ୍ରଦେଶ ପାଲମପୁରରେ ନିଯୁକ୍ତ ଥିଲେ । ସେ ଘରର କାମ କରିବା ଲାଗି ଓ ତାଙ୍କ ପିଲାଙ୍କ ଦେଖାରଖା କରିବା ଲାଗି ପୀଡିତା ନାବାଳିକାଙ୍କୁ ରଖିଥିଲେ । ଯେତେବେଳେ ସେମାନେ ଆସାମ ଫେରି ଆସିଥିଲେ ଏହି ସମୟରେ ପୀଡିତା ନିଜ ପରିବାରକୁ ଭେଟି ସବୁ କଥା କହିଥିଲା । ଏହାପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.