fbpx

ତୁମେ ମରିଯାଅ… କାହାକୁ ଏମିତି କହିବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା କି? କ’ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ମଣିଷର ରାଗ ଖୁବ ଭୟଙ୍କର । ରାଗରେ କେଉଁ ବ୍ୟକ୍ତି କେତେବେଳେ କି ପ୍ରକାର ନିଷ୍ପତ୍ତି ନେଇଯିବ, ତାହା କହିବା ବି ମୁସ୍କିଲ । ବେଳେବେଳେ ରାଗରେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ମରିଯିବା ପାଇଁ ମଧ୍ୟ କହିଦିଏ । ତେବେ ଏହା ଆଇନ୍ ଅନୁସାରେ ଏକ ଅପରାଧ ଭାବରେ ବିବେଚିତ ହେବ କି? ଏ ନେଇ ଉଚ୍ଚ ନ୍ୟାୟାଳୟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କାହାକୁ “ଯାଅ ମରିଯାଅ…” ବୋଲି କହିବା ସେହି ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ।

ସୂଚନା ଅନୁସାରେ, ୨୦୦୯ ମସିହାର ଏକ ମାମଲାକୁ ନେଇ ଆଜି ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣୀ ଜାରି ରହିଥିଲା । ଜଷ୍ଟିସ କେ. ଲକ୍ଷ୍ମଣ ଏବଂ ଜଷ୍ଟିସ କେ. ସୁଜାନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ରାଗରେ କିମ୍ବା କୌଣସି କାରଣରୁ ଜଣକୁ ‘ଯାଅ ମରିଯାଅ’ ବୋଲି କହିବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଅନ୍ତର୍ଭୁକ୍ତ କରାଯାଇ ପାରିବନି । ଏପରି କହିଥିବା ବ୍ୟକ୍ତିଙ୍କ ଉପରେ ଏହି କଥାରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

ଏହାପରେ ନ୍ୟାୟାଳୟ କହିଛନ୍ତି ଯେ, ଯଦି ପୀଡ଼ିତଙ୍କୁ କିଛି ଭୁଲ ବା ବିପଦଜନକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଏ, ତେବେ ଏହାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ମାମଲା କୁହାଯାଇପାରେ । କିନ୍ତୁ କେବଳ ‘ଯାଅ ମରିଯାଅ’ କହିଦେବା IPCର ସେକ୍ସନ ୩୦୬ ଅନୁସାରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ହୋଇ ପାରିବ ନାହିଁ । ସୂଚନା ଅନୁସାରେ, ପୀଡିତା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଏସସି-ଏସଟି ଅଧିନିୟମ ଅନୁଯାୟୀ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ମାମଲାରେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ ମନା କରିଦେବାରୁ ଏଥିରେ ପୀଡ଼ିତା ମୃତ୍ୟୁବରଣ କରିଥିଲେ ।

ତେବେ ଅଭିଯୁକ୍ତ ତାଙ୍କ କେବଳ “ଯାଅ ମରିଯାଅ…” ବୋଲି କହିବାରୁ କୀଟନାଶକ ପିଇ ସେ ଆତ୍ମହତ୍ୟା କରିଛନ୍ତି । ଏହାପରେ ଅଭିଯୁକ୍ତ ପୀଡିତାଙ୍କୁ ବିବାହର ପ୍ରତିଶୃତି ଦେଇ ବଳାତ୍କାର କରିବା ପରେ କଥା ରଖି ନଥିଲେ । ତେବେ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି ନୂଆ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟର ଏହି ବେଞ୍ଚ । ସୂଚନା ଥାଉ କି, ପୀଡ଼ିତାଙ୍କୁ ପ୍ରତାରଣା, ଆତ୍ମହତ୍ୟା ଏବଂ ଏସସି-ଏସଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ସେସନ୍ସ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Get real time updates directly on you device, subscribe now.