ଭୁବନେଶ୍ୱର; ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବି ପୂରଣ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶନିବାର ସ୍ଥଗିତ ହୋଇଛି । ବିଧାନସଭା ପରେ ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ ତୁରନ୍ତ ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ସରକାର । ତେବେ ପ୍ରତିଶ୍ରୁତି ମିଳିବା ପରେ ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ। ସେମାନଙ୍କ ଦାବି ପୂରଣ ନେଇ ସରକାର ମହଲତ ମାଗିଛନ୍ତି। ଆସନ୍ତା ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ ସଂଘର ଦାବିକୁ ନେଇ ଆଲୋଚନା ହେବ ବୋଲି ସରକାର ପ୍ରତିଶୃତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି ।
ସୂଚନା ଥାଉକି, ଆଜି ରାଜ୍ୟ ସରକାର ଆନ୍ଦୋଳନକାରୀଙ୍କୁ ଆଲୋଚନା କରିବା ପାଇଁ ଡାକିଥିଲେ ଏଥିରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ଉପସଚିବ ସୁମିତ୍ରା ସେନାପତି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖଙ୍କ ସହ ଆନ୍ଦୋଳନରତ ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହାପରେ ସଂଘର ସାଧାରଣ ସଂପାଦିକା ଡା.ଲୋପାମୁଦ୍ର ଖଟୋଇ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ, ସ୍ଵାସ୍ଥ୍ୟ ସଚିବଙ୍କ ସହିତ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘର ସକାରାତ୍ମକ ଆଲୋଚନା ଏବଂ ସଂଘର ଦାବି ପ୍ରତି ସ୍ଵାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ସଂଘ ସାମୟିକ ଭାବେ ଆନ୍ଦୋଳନ ନିଷ୍ପତ୍ତିକୁ ସ୍ଥଗିତ ରଖୁଛି । ସ୍ଵାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ଅନୁସାରେ ଆସନ୍ତା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ସଂଘର ଦାବିକୁ ଦୃଢ଼ଭାବରେ ଉପସ୍ଥାପନ କରାଯିବା ସହିତ ଏହାର ସଫଳ ରୂପାୟନରେ ସ୍ଵାସ୍ଥ୍ୟ ସଚିବ ସକ୍ରିୟ ଭୂମିକା ଗ୍ରହଣ କରିବେ। ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସେ ଚେତାବନୀ ଦେଇଛନ୍ତି ।