ନୂଆଦିଲ୍ଲୀ: ସାଧାରଣ ଭାବେ ସରକାରୀ କ୍ଷେତ୍ରରେ ଅନେକ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ଆଉ କିଛି କର୍ମଚାରୀ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥାନ୍ତି । ତେବେ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ୪୫ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ନିଯୁକ୍ତି ଦିଆଗଲେ ସଂରକ୍ଷଣ ମିଳିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀମାନେ ଏହି ସୁବିଧା ପାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ସୂଚନା ମୁତାବକ, ଏସସି, ଏସଟି ଓ ଓବିସି ପ୍ରାର୍ଥୀଙ୍କୁ ସଂରକ୍ଷଣ ପ୍ରଦାନ ଦାବି ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା । ଏହାର ଜବାବ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞାପନ ବିଷୟରେ ସୂଚନା ଦିଆଯାଇଛି । ସରକାରୀ ବିଭାଗରେ ୪୫ ଦିନ ବା ତା’ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ନିଯୁକ୍ତିରେ ଏହି ସଂରକ୍ଷଣ ଦିଆଯିବ ।
ତେଣୁ ଅସ୍ଥାୟୀ ପଦରେ ସଠିକ୍ ଭାବେ ସଂରକ୍ଷଣ ଲାଗୁ କରିବାକୁ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅସ୍ଥାୟୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଗତ ୧୯୬୮ ମସିହାରେ ଲାଗୁ ହୋଇ ଆସୁଛି । ଏହାକୁ ନେଇ ଗତ ୨୦୧୮ ଓ ୨୦୨୨ ମସିହାରେ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସମସ୍ତ ବିଭାଗ ପକ୍ଷରୁ ଅସ୍ଥାୟୀ ଚାକିରିରେ ସଂରକ୍ଷଣର ନିର୍ଦ୍ଦେଶନାମାକୁ ସଠିକ୍ ଭାବେ ପାଳନ କରାଯାଉନଥିବା ନେଇ ସଂସଦୀୟ କମିଟିର ଏକ ରିପୋର୍ଟରୁ ଜଣାପଡ଼ିଥିଲା ।