fbpx

ଏକ ଘରୋଇ ସ୍କୁଲରୁ ଆସିଛି ଛାତି ଥରାଇ ଦେବା ଭଳି ଚିତ୍ର, ୫ ଶ୍ରେଣୀର ଛାତ୍ରୀକୁ ପିଟି ପିଟି ରକ୍ତାକ୍ତ କରିଦେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଦାତିଆ ଜିଲ୍ଲାର ଏକ ଘରୋଇ ସ୍କୁଲରୁ ଆସିଛି ଛାତି ଥରାଇ ଦେବା ଭଳି  ଚିତ୍ର । ଏହି ସ୍କୁଲର ଅଧ୍ୟକ୍ଷ ୫ ଶ୍ରେଣୀରେ ପଢୁଥିବା ଏକ କୋମଳମତୀ ଛାତ୍ରୀକୁ ଏପରି ପିଟିଛନ୍ତି ଯେ, ତାର ପିଠି ସାରା ନୋଳା ପଡିଯାଇଛି । ଏବେ ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ସ୍କୁଲର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ମାରପିଟ୍ ମାମଲା ରୁଜୁ କରିଛି । କିନ୍ତୁ ଅଭିଯୁକ୍ତ ଅଧ୍ୟକ୍ଷ ଏବେ ଫେରାର ଅଛନ୍ତି ।

ଜିଲ୍ଲାର ମଣିପୁର ଗ୍ରାମରେ ରହୁଥିବା ୧୦ ବର୍ଷର ଏହି ଛାତ୍ରୀ ୫ କ୍ଲାସରେ ପଢନ୍ତି । ଗ୍ରାମରେ ଥିବା ଡ୍ରିମ୍ ଏକ୍ସିଲେନ୍ସ ପବ୍ଲିକ୍ ସ୍କୁଲରେ ସେ ଅଧ୍ୟୟନ କରନ୍ତି । ଏହି ସ୍କୁଲର ଅଧ୍ୟକ୍ଷ ଅଛନ୍ତି ମୁକେଶ କୁଶବାହ  । ମୁକେଶଙ୍କ ଚାଚାଙ୍କ ଝିଅ ମଧ୍ୟ ଏହି ସ୍କୁଲରେ ପଢିଥାଏ । ପୀଡିତ ଛାତ୍ରୀ କହିଛନ୍ତି, ଲଞ୍ଚ ସମୟରେ ଖେଳୁ ଖେଳୁ ତାଙ୍କର ଅଧ୍ୟକ୍ଷଙ୍କ ଚାଚାଙ୍କ ଝିଅ ଭୂମି ସହିତ ଝଗଡା ହୋଇଯାଇଥିଲା । ଏହି ଘଟଣାରେ ଅଧ୍ୟକ୍ଷ ତାକୁ ଅତି ନିର୍ମମ ଭାବରେ ବାଡିରେ ପିଟିଥିଲେ ।

ଏହାପରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରେ ପହଞ୍ଚିବା ପରେ ସବୁ ଘଟଣା ମା’ଙ୍କୁ କହିଥିଲା । ଯେତେବେଳେ ପୀଡିତ ଛାତ୍ରୀଙ୍କ ମା’ ଏ ବିଷୟରେ ପଚାରିବାକୁ ସ୍କୁଲରେ ଯାଇ ପହଞ୍ଚିଥିଲେ ସେତେବେଳେ ଅଧ୍ୟକ୍ଷ ଓଲଟା ତାଙ୍କୁ ପିଟିବାକୁ ଗୋଡାଇବା ସହ ଜୀବନରୁ ମାରି ଦେବେ ବୋଲି କହିଥିଲେ । ଏହାପରେ ଛାତ୍ରୀଙ୍କ ମା’ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହି ଘଟଣା ପରେ ପୀଡିତ ଛାତ୍ରୀ ମାନସିକ ସନ୍ତୁଳନ ହରାଇ ବସିଥିବା ବେଳେ ଆଉ ସ୍କୁଲ ଯିବନି ବୋଲି ଅଡି ବସିଛି ।

Get real time updates directly on you device, subscribe now.