fbpx

ଜାରି ହେଲା ବିସ୍ତୃତ ନିୟମାବଳୀ: ରାଜ୍ୟର ସମସ୍ତ ହାଇସ୍କୁଲରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇଯାଇଥାନ୍ତି । ଏହାଫଳରେ ପିଲାମାନଙ୍କର ପରୀକ୍ଷା ବହୁମାତ୍ରାରେ ପ୍ରଭାବିତ ହୋଇଥାଏ । ତେଣୁ ୨୦୨୪ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ପ ପ୍ରଦାନ କରାଯିବ । ସେଥିପାଇଁ ଆସନ୍ତା ମାସ ୪ ତାରିଖରେ ରାଜ୍ୟର ସମସ୍ତ ହାଇସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ସ୍କୁଲ ଷ୍ଟୁଡେଣ୍ଟ ହେଲପଲାଇନ ଦ୍ୱାରା ପ୍ରସ୍ତୁତ ହୋଇଥିବା ପରୀକ୍ଷା ଟିପ୍ସ ଆସନ୍ତାବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବିସ୍ତୃତ ନିୟମାବଳୀ ଜାରି କରାଯାଇଥିବା ବେଳେ ହାଇସ୍କୁଲମାନଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି ।

ଦଶମ ବୋର୍ଡ ପରୀକ୍ଷା କିପରି ହେବ, କେଉଁ ପ୍ରଶ୍ନ ଆସିବ ସେନେଇ ପିଲାଙ୍କୁ ପ୍ରସ୍ତୁତି କରାଇବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନେକ ଶିକ୍ଷାବିତ୍ ମତ ଦେଇଛନ୍ତି । ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପିଲାଙ୍କୁ ପାଠ ପଢ଼ିବାର କେତୋଟି ସହଜ ଉପାୟ କୁହାଯିବ । ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକଙ୍କୁ ଆଲୋଚନା ପାଇଁ ଦାୟିତ୍ୱ ଦିଆଯିବ । ଜିଲ୍ଲା ନୋଡାଲ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସ୍କୁଲ ସ୍ତରରେ ସୁଚାରୁରୂପେ ପରିଚାଳନା କରାଇବେ । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ କ’ଣ କ’ଣ କରିବାକୁ ହେବ ତା’ର ଏକ ସୂଚୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ସୁଷମ ଖାଦ୍ୟ ଖାଇବା, ଘର ଲୋକଙ୍କ ସହ ବାର୍ତ୍ତାଳାପ କରିବା, ମାନସିକ ଚାପ ହ୍ରାସ ପାଇଁ ବିରତି ନେବା, ବିଶ୍ରାମ ନେବା, ଯୋଗ ଅଭ୍ୟାସ କରିବା, ମୋବାଇଲର ସଦୁପଯୋଗ ଆଦି ବିଷୟରେ ପିଲାଙ୍କୁ ମନ୍ତ୍ର ପଦାନ କରାଯିବ ।

Get real time updates directly on you device, subscribe now.