ନୂଆଦିଲ୍ଲୀ: ଆଲୋକର ପର୍ବ ଦିପାବଳୀ ଅବସରରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଛି ପୁଣି ଏକ ଗିଫ୍ଟ । ଗତମାସରେ ନବରାତ୍ରି ଅବସରରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଲକ୍ଷ ଲକ୍ଷ ଖାତାଧାରୀଙ୍କ ଆକାଉଣ୍ଟକୁ ପ୍ରୋଭେିଡେଣ୍ଟ ଫଣ୍ଡ (ପିଏଫ) ସୁଧ ପଠାଯାଇଛି ।
କର୍ମଚାରୀଙ୍କ ଆକାଉଣ୍ଟକୁ ପିଏଫ୍ ଅର୍ଥ ପଠାଯାଇଥିବା ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି । ୨୪ କୋଟିରୁ ଅଧିକ ଆକାଉଣ୍ଟକୁ ଏହି ଅର୍ଥ ଟ୍ରାନ୍ସଫର କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮.୧୫ ପ୍ରତିଶତ ସୁଧ ହାରରେ କର୍ମଚାରୀଙ୍କୁ ଆକାଉଣ୍ଟକୁ ଅର୍ଥ ପଠାଯାଇଛି । ଏହି ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଖୁବଶୀଘ୍ର ତାହା ସମସ୍ତଙ୍କ ନିକଟରେ ପହଞ୍ଚିବ ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ନବରାତ୍ରି ଅବସରରେ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଉପହାର ମିଳିଥିଲା । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ପୂର୍ବରୁ କର୍ମଚାରୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ବେଳେ ତାହା ୪ ପ୍ରତିଶତ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିଥିଲା । ଗୋଟିଏ ମାସ ପରେ ପୁଣି ଥରେ କର୍ମଚାରୀଙ୍କୁ ଦିପାବଳୀ ଉପହାର ମିଳିଛି । ଏହାଫଳରେ କର୍ମଚାରୀଙ୍କୁ ପାର୍ବଣ ସିଜିନରେ ଡବଲ ଉପହାର ମିଳିଛି । କର୍ମଚାରୀମାନେ ଟେକ୍ସଟ ମେସେଜ, ମିସଡ୍ କଲ, ଉମଙ୍ଗ ଆପ, ଇପିଏଫଓ ୱେବସାଇଟ ଜରିଆରେ ଆକାଉଣ୍ଟକୁ ଅର୍ଥ ଆସିଛି କି ନା ତାହା ଚେକ୍ କରିପାରିବେ ।