Big Breaking; ସୂର୍ଯ୍ୟକୁମାର ହେଲେ ଦଳର ନୂଆ ଅଧିନାୟକ: ଅଷ୍ଟ୍ରେଲିଆ ପାଇଁ ଜୁନିୟର ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ୱକପ ପରାଜୟକୁ ଭୁଲି ନୂଆ ଯାତ୍ରା ଆରମ୍ଭ କରିବ ଟିମ ଇଣ୍ଡିଆ । ଏହି ଯାତ୍ରାରେ ପ୍ରଥମ ସିରିଜରେ ପୁଣିଥରେ ବିଶ୍ୱକପ ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟି ଭାରତୀୟ ଦଳ । ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଟି-୨୦ ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ଅଧିନାୟକ ପଦ । ତେବେ ଅଷ୍ଟ୍ରେଲିଆକୁ ସାମ୍ନା କରିବା ପାଇଁ ଜୁନିୟର ଟିମକୁ ସୁଯୋଗ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ ।

ବିଶ୍ୱକପ ୨୦୨୩ରେ ଟି-୨୦ ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ସିରିଜରେ ମଧ୍ୟ ସେ ଅନୁପସ୍ଥିତ ରହିବେ । ତେଣୁ ଏହି ସିରିଜ ପାଇଁ ଟି-୨୦ ଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି । ଏହାସହିତ ଦଳର ଉପ-ଅଧିନାୟକ ଭାବରେ ଦାୟିତ୍ୱ ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ । ଏହାବ୍ୟତୀତ ଦଳରେ ଅନେକ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି । ଯଶସ୍ୱୀ ଜଏସ୍ୱାଲ, ରିଙ୍କୁ ସିଂ ଏବଂ ଜିତେଶ ଶର୍ମାଙ୍କ ଭଳି ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଥିବା ବେଳେ ମୁକେଶ କୁମାର ଏବଂ ଆଭେଶ ଖାନ୍ ଏହି ଦଳରେ ସୁଯୋଗ ମିଳିଛି ।

୫ଟି ଟି-୨୦ ମ୍ୟାଚ ଖେଳା ଯିବାକୁ ଥିବା ବେଳେ ପ୍ରଥମ ୩ଟି ମ୍ୟାଚରେ ଉପ-ଅଧିନାୟକ ରହିବେ ଋତୁରାଜ । ତେବେ ଶେଷ ଦୁଇଟି ମ୍ୟାଚ ଭାବରେ ଶ୍ରେୟସ ଆୟର ଦଳରେ ଯୋଗ ଦେଇ ଉପ-ଅଧିନାୟକ ଦାୟିତ୍ୱ ଗହଣ କରିବେ । ନଭେମ୍ବର ୨୩ ତାରିଖରେ ଏହି ସିରିଜ ଆରମ୍ଭ ହେବାକୁ ଥିବା ବେଳେ ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏହି ସିରିଜରେ କମବ୍ୟାକ କରିବାକୁ ଯାଉଛନ୍ତି । ଏହାସହିତ ଶିବମ ଦୁବେ, ଜିତେଶ ଶର୍ମା ଏବଂ ରବି ବିଷ୍ଣୋଇଙ୍କୁ ସୁଯୋଗ ଦେଇଛି ବିସିସିଆଇ ।

୨୩ ତାରିଖରେ ଏହି ସିରିଜର ପ୍ରଥମ ମ୍ୟାଚ ବିଶାଖାପଟନମରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଥିରୁଅନନ୍ତପୁରମରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚ ଗୁଆହାଟୀରେ ଖେଳାଯିବାର ସୂଚୀ ରହିଛି । ଚତୁର୍ଥ ମ୍ୟାଚ ରାୟପୁର ଏବଂ ବେଙ୍ଗଲୁରୁରେ ପଞ୍ଚମ ଟି-୨୦ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକ୍ୱାଡ(ଉପ-ଅଧିନାୟକ), ଇଶାନ କିଶାନ, ଯଶସ୍ୱୀ ଜଏସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ଆଭେଶ ଖାନ୍, ମୁକେଶ କୁମାର ।

ରାୟପୁର ଏବଂ ବାଙ୍ଗାଲୋରରେ ଶେଷ ୨ଟି ଟି-୨୦ ମ୍ୟାଚ ପାଇଁ ଶ୍ରେୟସ ଆୟର ଉପ-ଅଧିନାୟକ ଭାବରେ ଦଳରେ ସାମିଲ ହେବେ ।