fbpx

ଆସିଲା ଭୋଟ ଗଣତିର ପ୍ରାରମ୍ଭିକ ରିପୋର୍ଟ: କେଉଁ ରାଜ୍ୟରେ କେଉଁ ଦଳ ଆଗରେ ରହିଛି

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ଫଳାଫଳ ବେଶ୍ ଗୁରୁତ୍ୱ ରଖୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି ।

ପ୍ରାଥମିକ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ବିଜେପି ୧୪ଟି ଆସନରେ ଓ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ୨୧ଟିରେ ଓ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୧୫ଟିରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ୧୦ଟିରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ଆଗକୁ ଭୋଟ ଗଣତି ଜାରି ରହିବା ସହିତ ଭୋଟ ବ୍ୟବଧାନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶର ୨୩୦ଟି ଆସନ, ରାଜସ୍ଥାନର ୨୦୦ଟି ଆସନ, ଛତିଶଗଡ଼ର ୯୦ଟି ଆସନ ଓ ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ଆଜି ଫଳାଫଳ ଘୋଷଣା ହେବ । ଆସନ୍ତକାଲି ମିଜୋରାମର ୪୦ଟି ଆସନ ପାଇଁ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । ଯଦି ଏହି ତଥ୍ୟ ସତ୍ୟ ପ୍ରମାଣିତ ହୁଏ ତେବେ କିଛି ରାଜ୍ୟରେ ସରକାର ବଳବତ୍ତର ରହିବ ଓ ଅନ୍ୟ କିଛି ରାଜ୍ୟରେ ସରକାର ବଦଳିବ ।

Get real time updates directly on you device, subscribe now.