fbpx

ମଧ୍ୟପ୍ରଦେଶ ବିଜୟ ପଛରେ ରହିଛି ୧୦ଟି ପ୍ରାଇମ୍ ଫ୍ୟାକ୍ଟର: ୨୦୧୮ର ପରାଜୟ ବିଜେପିକୁ ଦେଇଥିଲା ବଡ଼ ଶିକ୍ଷା

ନୂଆଦିଲ୍ଲୀ: ଆଜି ଦେଶର ୪ଟି ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଗତ ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ରାଜ୍ୟରେ ପୁଣି ଥରେ ଗେରୁଆ ସରକାର ଚାଲିଥିଲା ।

ତେବେ ଅତୀତର ଭୁଲରୁ ଶିକ୍ଷାଲାଭ କରି ରାଜ୍ୟରେ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ରାଜ୍ୟରେ ଏବେ ବିଜେପି ୧୬୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୩ଟି ଆସନରେ ଆଗୁଆ ରହିଥିବା ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି । ତେବେ ପରାଜିତ ଗଡ଼କୁ ବିଜେପି କିପରି ବିଜୟ ଗଡ଼ରେ ପରିଣତ କଲା ତାହା ନିଶ୍ଚିତ ଭାବେ ଏକ ବଡ଼ ସଫଳତା । ବିଜେପିର ଏହି ବିଜୟ ପଛରେ ଅନେକ ରହସ୍ୟ ଲୁଚି ରହିଛି ।

୧- ଭାଜପା ରାଜ୍ୟର ଉଚ୍ଚଜାତିର ହିନ୍ଦୁ ଓ ଓବିସି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲା । ଦଳ ଲକ୍ଷିତ ଆଉଟରିଚ କାର୍ଯ୍ୟକ୍ରମ ଜରିଆରେ ଏସସି ଓ ଏସଟି ଭୋଟରଙ୍କ ସମର୍ଥନ ହାଲ କରିପାରିଥିଲା ।

୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓ ଯାଦୁ ଏହି ବିଜୟର ଅନ୍ୟ ଏକ ପ୍ରମୁଖ କାରଣ । ମୋଦୀଙ୍କ ହିନ୍ଦୁତ୍ୱବାଦୀ ବୟାନବାଜୀ ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଗୁରୁତ୍ୱାରୋପ ମତଦାତାଙ୍କ ଏକ ବର୍ଗକୁ ବେଶି ପସନ୍ଦ ଆସିଥିଲା ।

୩- ଦଳୀୟ ଯୋଜନାକୁ ଜନତାଙ୍କ ନିକଟରେ ପହଞ୍ଚାଇବା ଓ ଶିବରାଜ ସିଂହ ଚୌହାନଙ୍କୁ ଜଣେ ପ୍ରଭାବୀ ନେତା ଭାବେ ଉପସ୍ଥାପନ କରିବା ଦଳର ରଣନୀତି ଅଭିଯାନ ରହିଥିଲା । ଯୁବ ମତଦାତାଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେପି ସୋସିଆଲ ମିଡ଼ିଆ ଓ ଡିଜିଟାଲ ଆଉଟରିଚର ଉପଯୋଗ କରିଥିଲା ।

୪- କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଜାରି ରହିବା ସହ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଥିଲା । ଭାଜପାର ପ୍ରଭାବୀ ଚ୍ୟାଲେଞ୍ଜ ଆଗରେ କଂଗ୍ରେସ ଦୁର୍ବଳ ହୋଇ ପଡ଼ିଥିଲା । କଂଗ୍ରେସର ଅନେକ ବିଧାୟକଙ୍କୁ ଟିକେଟ ନ ମିଳିବାରୁ ସେମାନେ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଥିଲେ ।

୫- ଭାଜପା ଭିତ୍ତିଭୂମିର ବିକାଶ, ସଡ଼କ ନିର୍ମାଣ ବିଦ୍ୟୁତୀକରଣ ଉପରେ ଜୋର ଦେଇଥିଲା । ଫଳରେ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ ହେବା ଫଳରେ ସେମାନେ ବିଜେପିକୁ କ୍ଷମତାସୀନ କରାଇଥିଲେ ।

୬- ଶିବରାଜ ଦୀର୍ଘ ବର୍ଷ ଧରି ରାଜ୍ୟରେ ମହିଳାଙ୍କର ପ୍ରିୟ ନେତା ଭାବେ ରହି ଆସିଥିଲେ । ଏଥିସହିତ ‘ଲାଡଲୀ ବହନା ଯୋଜନା’ ମଧ୍ୟ ବିଜେପି ପାଇଁ ଏକ ପ୍ରାଇମ୍ ଫ୍ୟାକ୍ଟର ସାଜିଥିଲା ।

୭- ଦୀର୍ଘ ୧୬ ବର୍ଷ ଧରି ରାଜ୍ୟରେ ଶାସନ କରିବା ପରେ ବି ଶିବରାଜଙ୍କର ବ୍ୟକ୍ତିତ୍ୱରେ କୌଣସି କଳାଦାଗ ଦେଖିବାକୁ ମିଳିନଥିଲା । ସେଥିପାଇଁ ଦଳ ଭିତରେ ତାଙ୍କ ବିରୋଧରେ କୌଣସି ପ୍ରକାର ବିରୋଧାଭାସ ଦେଖିବାକୁ ମିଳିନଥିଲା ।

୮- କୈଲାସ ବିଜୟବର୍ଗୀୟ, ନରେନ୍ଦ୍ର ସିଂହ ତୋମର, ଗଣେଶ ସିଂହ, ରାକେଶ ସିଂହ, ପ୍ରହ୍ଲାଦ ସିଂହ ପଟେଲ, ଫଗଗନ ସିଂହ କୁଲସ୍ତେଙ୍କ ପରି ହେଭିୱେଟଙ୍କୁ ଦଳ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଲଗାଇଥିଲା । ଏଥିସହିତ ନିଜ ଯୋଗ୍ୟତା ମୁତାବକ ପ୍ରଦର୍ଶନ କରିବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ ।

୯- ରାଜ୍ୟରେ କଂଗ୍ରେସ ହିନ୍ଦୁତ୍ୱକୁ ମୁଖ୍ୟ ପ୍ରସଙ୍ଗ କରିନଥିବା ବେଳେ ବିଜେପି ବ୍ରାଣ୍ଡ ହିନ୍ଦୁତ୍ୱର ସାହାରା ନେଇଥିଲା । ଶିବରାଜ ରାଜ୍ୟର ମନ୍ଦିରଗୁଡ଼ିକର ଛବି ବଦଳାଇ ତାହାକୁ ଆଧ୍ୟାତ୍ମିକତା ସହ ଆଧୁନିକତାର ନବକଳେବର କରିଥିଲେ । ଏହା ରାଜ୍ୟବାସୀଙ୍କୁ ପସନ୍ଦ ଆସିଥିଲା ।

୧୦- ରାଜ୍ୟରେ ବିଜେପି ବହୁମତ ହାସଲ କଲେ ବି ଶିବରାଜ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ଏକ ସଙ୍କେତ ମିଳିଥିଲା । ମାତ୍ର ଶିବରାଜ ଇମୋସନାଲ କାର୍ଡ ଖେଳିଥିଲେ । ପ୍ରଚାର ସମୟରେ ଶିବରାଜ ଭୋଟରଙ୍କୁ ପ୍ରଶ୍ନ କରିଥିଲେ, ‘ଆପଣଙ୍କର ମାମା, ଭାଇ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏହାଆପଣମାନେ ଚାହାନ୍ତି ନାହିଁ?’ ଜନତା ଜୋରରେ ଶିବରାଜଙ୍କ ସପକ୍ଷରେ ନାରା ଦେବା ସହ ବିଜେପି ସପକ୍ଷରେ ଭୋଟ ଦେଇଥିଲେ ।

Get real time updates directly on you device, subscribe now.