fbpx

ରହସ୍ୟ ଜମା ବୁଝି ହେଉନି: ଭୋକରେ ପ୍ରାଣ ହରାଇଲା ଭିକାରୀ, ଶବ ନିକଟରୁ ମିଳିଲା ବିଡ଼ା ବିଡ଼ା ନୋଟ୍

ନୂଆଦିଲ୍ଲୀ: ସାଧାରଣ ଭାବେ ଭିକ୍ଷାବୃତ୍ତି କେବଳ ଗରିବମାନେ ହିଁ ଆପଣାଇଥାନ୍ତି ବୋଲି ଅନେକଙ୍କର ଧାରଣା ରହିଥାଏ । ତେବେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । କିଛି ଲୋକ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରୁଥିବା ବେଳେ କିଛି ଲୋକଙ୍କର ଏହା ଏକ ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ବିଭିନ୍ନ ସହରରେ ଏପରି କିଛି ଭିକାରୀ ରହିଛନ୍ତି, ଯେଉଁମାନେ ଭିକ ମାଗି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଗୁଜରାଟର ବଲସାଡ ଜିଲ୍ଲାରେ ଜଣେ ଲକ୍ଷପତି ଭିକାରି ଭୋକରେ ମୃତ୍ୟୁବରଣ କରିଥିବା ବେଳେ ତା’ ନିକଟରୁ ଲକ୍ଷାଧିକ ଟଙ୍କା ମିଳିବା ଏବେ ସଭିଙ୍କୁ ତାଜୁବ କରିଦେଇଛି । ୫୦ ବର୍ଷୀୟ ଏହି ଭିକାରୀର ପରିଚୟ ମିଳିପାରି ନ ଥିବାବେଳେ ସେ ଭୋକରେ ପ୍ରାଣ ହରାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଗୋଟିଏ ପଟେ ଜଣେ ବ୍ୟକ୍ତି ଖାଇବାକୁ ନ ପାଇ ପ୍ରାଣ ହରାଉଛି, ଅନ୍ୟପକ୍ଷରେ ତା’ ପାଖରୁ ଲକ୍ଷାଧିକ ଟଙ୍କା ମିଳୁଛି । ଏହି ଘଟଣାକୁ ନେଇ ଏବେ ସସପେନ୍ସ ଜାରି ରହିଛି ।

ଗତ ୩ ତାରିଖରେ ଭିକାରିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତା’ର ମୃତ୍ୟୁ ଘଟିଥିଲା । ଭୋକିଲା ରହିବା ଫଳରେ ତା’ର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ତା’ ନିକଟରୁ ୫୩୭ଟି ୧୦୦, ୨୦ ଓ ୧୦ ଟଙ୍କିଆ ନୋଟ, ୮୩ଟି ୨୦୦ ଟଙ୍କିଆ ନୋଟ୍ ଓ ୩୮ଟି ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । ଏପରି ଭାବେ ୧.୧୪ ଲକ୍ଷ ଟଙ୍କା ନଗଦ ରାଶି ମିଳିଥିଲା । ପୋଲିସ ଏହି ମାମଲାରେ ଏବେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.