fbpx

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଛି । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ ସରକାର ଗଠନ କରିଛି । ବିଜେପି ମଧ୍ୟପ୍ରଦେଶର ୨୩୦ଟି ଆସନରୁ ୧୬୩ଟିରେ, ରାଜସ୍ଥାନର ୧୯୯ଟି ଆସନରୁ ୧୧୫ଟିରେ ଓ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ୫୪ଟିରେ ଜିତିଛି ।

ତେବେ ୩ଟି ରାଜ୍ୟରେ ସଫଳତା ହାସଲ କରିବା ପରେ କାହାକୁ କେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରାଯିବ ତାହାକୁ ନେଇ ଏବେ ବିଜେପି ଅଙ୍କ କଷୁଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଦେଖି ଚାହିଁ ଗୋଟି ଚାଳନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଳମ୍ବ ହେଉଥିବାରୁ କଂଗ୍ରେସ ବିଜେପି ଉପରେ କଟାକ୍ଷ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଦଳ ଏନେଇ ଆଲୋଚନା କରିଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ୩ଟି ରାଜ୍ୟ ପାଇଁ ବିଜେପି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ନବନିଯୁକ୍ତ ପର୍ଯ୍ୟବେକ୍ଷକମାନେ ଏହିସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବେ । ରାଜନାଥ ସିଂହ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ରାଜସ୍ଥାନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ମଧ୍ୟପ୍ରଦେଶ ପାଇଁ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ, ଆଶା ଲାକଡ଼ାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଛତିଶଗଡ଼ର ପର୍ଯ୍ୟବେକ୍ଷକ ଭାବେ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୱାଲ ଓ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.