fbpx

ମାଗଣା ଚା’…. ରୋକି ପାରିବ କି ସଡ଼କ ଦୁର୍ଘଟଣା? ‘ନବୀନ’ ଯୋଜନାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାତିରେ ରାଜମାର୍ଗ ଦେଇ ଯାତାୟତ କରୁଥିବା ଟ୍ରକ ଡ୍ରାଇଭରମାନଙ୍କୁ ଦିଆଯିବ ମାଗଣା ଚା’ । ଏ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଳମ୍ବିତ ରାତିରେ ଟ୍ରକ ବା ଅନ୍ୟ ଭାରୀଯାନ ଚାଳକମାନଙ୍କ ଦ୍ୱାରା ରାଜମାର୍ଗରେ ଦୁର୍ଘଟଣା ହେଉଥିବାରୁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ସରକାରଙ୍କ ଏହି ବ୍ୟବସ୍ଥା କେତେ ସଫଳ ହେବ? ମାଗଣା ଚା’ ରୋକିପାରିବ କି ସଡ଼କ ଦୁର୍ଘଟଣା?

ରାତିରେ ଯାତାୟତ କରୁଥିବା ଭାରୀଯାନ ଚାଳକମାନଙ୍କ ଆଖି ଲାଗିଯିବାରୁ ରାତିରେ ଅଧିକାଂଶ ଦୁର୍ଘଟଣା ଘଟିଥାଏ । ତେବେ ଏ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଏହି ଚାଳକମାନଙ୍କୁ ସତେଜ ରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ଚା’ ଉପଲବ୍ଧ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କୁ ରାଜମାର୍ଗ ରାସ୍ତାକଡ଼ରେ ହୋଟେଲ ଏବଂ ଢାବା ଚିହ୍ନଟ କରିବା ପାଇଁ କୁହାଯାଇଛି । ଏଠାରେ ଗାଡ଼ିଚାଳକମାନଙ୍କୁ ମାଗଣାରେ ଚା’ ମିଳିପାରିବ । ଏହାସହିତ ହୋଟେଲ କିମ୍ବା ଢାବାରେ ଗାଡ଼ିଚାଳକମାନେ ବିଶ୍ରାମ ମଧ୍ୟ ନେଇପାରିବେ । ଆସନ୍ତାବର୍ଷ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ସମୟରେ ମାଗରା ଚା’ ବ୍ୟବସ୍ଥା କରାଯିବ ।

ସଡ଼କ ସୁରକ୍ଷା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦେଇଥିବା ରିପୋର୍ଟ ଅନୁସାରେ, ସାରା ବିଶ୍ୱରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବାର୍ଷିକ ୫ ପ୍ରତିଶତ ହ୍ରାସ ପାଇ ୧.୧୯ ମିଲିୟନରେ ପହଞ୍ଚିଛି । କିନ୍ତୁ ଭାରତରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ସୂଚନା ଅନୁସାରେ, ୨୦୧୮ ମସିହାରେ ସଡ଼କ ଦୁର୍ଘଟଣା ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୭୮୫ ଏବଂ ୨୦୨୧ ମସିହାରେ ଏହା ୧ ଲକ୍ଷ ୫୩ ହଜାର ୭୯୨ ରହିଛି । ଗତ ବର୍ଷ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ଏକ ରିପୋର୍ଟରେ କହିଛି ଯେ, ୨୦୨୦ ତୁଳନାରେ ୨୦୨୧ ମସିହାରେ ଭାରତରେ ସଡକ ଦୁର୍ଘଟଣାରେ ମୃତ୍ୟୁ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ ମସିହାରେ ସମୁଦାୟ ସଡ଼କ ଦୁର୍ଘଟଣା ୪ ଲକ୍ଷ ୩ ହଜାର ରେକର୍ଡ କରାଯାଇଥିଲା, ଯାହା ୨୦୨୦ ମସିହାରେ ୩ ଲକ୍ଷ ୫୪ ହଜାରରୁ ଅଧିକ ଥିଲା ।

Get real time updates directly on you device, subscribe now.