fbpx

ମୁଁ ପଦ୍ମଶ୍ରୀ ଫେରାଇ ନେବି ନାହିଁ, ଯେପର୍ଯ୍ୟନ୍ତ….WFI ର ମାନ୍ୟତା ରଦ୍ଦ ହେବା ପରେ ଏମିତି କହିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ବା ଭାରତୀୟ କୁସ୍ତି ମହାସଂଘ(WFI) ର ମାନ୍ୟତା ରଦ୍ଦ ହେବା ପରେ ରବିବାର (୨୪ ଡିସେମ୍ବର), ବିଖ୍ୟାତ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ନ୍ୟାୟ ପାଇବା ପର୍ୟ୍ୟନ୍ତ ସେ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବେ ନାହିଁ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ବଜରଙ୍ଗ ପୁନିଆ କହିଛନ୍ତି ଯେ,“ମୁଁ ପଦ୍ମଶ୍ରୀ ଫେରାଇ ନେବି ନାହିଁ। ନ୍ୟାୟ ମିଳିବା ପରେ ହିଁ ମୁଁ ଏ ବିଷୟରେ ଚିନ୍ତା କରିବି”। ଏହା ସହ ସେ କହିଛନ୍ତି, ଆମ ଭଉଣୀମାନଙ୍କ ସମ୍ମାନଠାରୁ କୌଣସି ପୁରସ୍କାର ବଡ଼ ନୁହେଁ। ପ୍ରଥମେ ଆମକୁ ନ୍ୟାୟ ମିଳିବା ଦରକାର।

ସୂଚନା ଥାଉକି, ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତମ ବିବେଚିତ ସଞ୍ଜୟ ସିଂଙ୍କ ଭାରତୀୟ ରେସଲିଂ ଫେଡେରେଶନ(WFI) ର ସଭାପତି ପଦକୁ ନିର୍ବାଚନକୁ ବିରୋଧ କରି ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀକୁ ଫେରାଇବାକୁ ଘୋଷଣା କରିଥିଲେ। ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ମଧ୍ୟ ଲେଖିଥିଲେ। ଏହି ଚିଠିରେ ସେ ନିଜର ପଦ୍ମଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଫେରାଉଥିବା କହିଥିଲେ । ଡିସେମ୍ବର ୨୨ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିୀଙ୍କୁ ଭେଟିବାକୁ ଏବଂ ତାଙ୍କ ପ୍ରତିବାଦ ପତ୍ର ଦାଖଲ କରିବାକୁ ସେ ଚେଷ୍ଟା କରିଥିଲେ। ମାତ୍ର ସେ ଯିବାବେଳେ ଡ୍ୟୁଟିରେ ଥିବା ଦିଲ୍ଲୀ ପୋଲିସ ତାଙ୍କୁ ଅଟକାଇଥିଲେ । ଏହା ପରେ ବଜରଙ୍ଗ ତାଙ୍କ ପଦ୍ମଶ୍ରୀ ପଦକକୁ ଫୁଟପାଥରେ ଚିଠିର ଶୀର୍ଷରେ ରଖି ଚାଲିଆସିଥିଲେ। ଚିଠିରେ ପୁନିଆ ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କ ବିରୋଧ, କୁସ୍ତି ସଂଘ ନିର୍ବାଚନରେ ସଂଜୟ ସିଂଙ୍କ ବିଜୟ ଏବଂ ଜଣେ ମନ୍ତ୍ରୀଙ୍କଠାରୁ ମିଳିଥିବା ପ୍ରତିଶ୍ରୁତି ଏବଂ ପଦ୍ମଶ୍ରୀ ଫେରସ୍ତ କଥା କହିଥିଲେ ।

Get real time updates directly on you device, subscribe now.