ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍ ଆଦି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ଏବେଠାରୁ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବା ସେମିଫାଇନାଲର ଫଳାଫଳକୁ ଦେଖି ରାଜନୈତିକ ଦଳମାନେ ଆଗାମୀ ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ତେବେ ଏହା ମଧ୍ୟରେ କଂଗ୍ରେସ ଶିବିରରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମହାରାଷ୍ଟ୍ରର ୬୨ ବର୍ଷୀୟ ବିଧାୟକ ସୁନିଲ କେଦାରଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ବହୁଚର୍ଚ୍ଚିତ ନାଗପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଜାଲିଆତି ମାମଲାରେ କୋର୍ଟ ସୁନିଲ ଓ ଅନ୍ୟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଧାୟକଙ୍କୁ ୫ ବର୍ଷର ଜେଲଦଣ୍ଡ ଓ ୧୨.୫ ଲକ୍ଷର ଜରିମାନା ଲାଗୁ କରାଯାଇଛି ।
ବ୍ୟାଙ୍କରେ ଜମା ରହିଥିବା ଅର୍ଥକୁ ଜାଲିଆତି କରି ସୁନିଲ ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା କୋର୍ଟ କହିଛନ୍ତି । ଗରିବ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ସମବାୟ ବ୍ୟାଙ୍କ ସ୍ଥାପନ ହୋଇଥିଲା । ସେହି ବ୍ୟାଙ୍କରେ ରହିଥିବା ସମସ୍ତ ସମ୍ପତ୍ତି ଚାଷୀଙ୍କର ବୋଲି କୋର୍ଟ ରାୟରେ କହିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା କେଦାର ୧୯୯୨ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବ୍ୟାଙ୍କର ଅଧ୍ୟକ୍ଷ ରହିଥିଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ସପ୍ତାହରେ ବିଜେପି ବିଧାୟକ ରାମ ଦୁଲାର ଗୋଣ୍ଡ ମଧ୍ୟ ବିଧାୟକ ପଦ ହରାଇଥିଲେ । ଯଦି କୌଣସି ସାଂସଦ ବା ବିଧାୟକ ଅତିକମରେ ୨ ବର୍ଷର ଜେଲଦଣ୍ଡାଦେଶ ପାଆନ୍ତି, ତେବେ ଆଇନ ଅନୁସାରେ ସେ ନିଜର ସଦସ୍ୟତା ହରାଇଥାନ୍ତି ।