ପୂର୍ବତନ ବିଧାୟକ ନୃସିଂହାନନ୍ଦ ବ୍ରହ୍ମାଙ୍କ ପରଲୋକ: ଚିରନିଦ୍ରାରେ କୋରାପୁଟ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ରାଜ୍ୟ ରଜାନୀତି ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜନୈତିକ ଦଳମାନେ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ ଲକ୍ଷ୍ୟରେ ନିଜ ନିଜ ସଂଗଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ସରକାର ଗଠନ କରିବା ଲକ୍ଷ୍ୟରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କ ପରଲୋକ ଘଟିଛି । କୋରାପୁଟ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନୃସିଂହାନନ୍ଦ ବ୍ରହ୍ମା ଆଉ ନାହାନ୍ତି । ୯୦ ବର୍ଷ ବୟସରେ ଶ୍ରୀ ବ୍ରହ୍ମା ପରଲୋଗ ଗମନ କରିଛନ୍ତି । ତାଙ୍କର ମୃତ୍ୟୁରେ ରାଜ୍ୟ ରାଜନୀତି ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ବ୍ରହ୍ମା ୧୯୮୦ ଓ ୧୯୮୫ ମସିହାରେ କୋରାପୁଟ ବିଧାନସଭା ଆସନରୁ ଦୁଇଥର କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟ ବିଧାନସଭାର ଆଉ ଦୁଇଜଣ ପୂର୍ବତନ ବିଧାୟକ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୩ ଦିନ ତଳେ ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପରଲୋକ ଘଟିଥିଲା । ଗତ କିଛିବର୍ଷ ଧରି ଶ୍ରୀ ଜେନା ଖରାପ ସ୍ୱାସ୍ଥ୍ୟ କାରଣରୁ ମେଡିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ସେ ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେହିପରି ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର ଆଉ ଜଣେ ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ ମଧ୍ୟ ପରଲୋକ ଗମନ କରିଥିଲେ ।