କିଏ ଏହି ମୀରା ଯାହାଙ୍କ ଘରେ ଆଜି ଅଚାନକ ପହଞ୍ଚିିଗଲେ ମୋଦୀ, ଚା’ ପିଇ କହିଲେ ଅଧିକ ମିଠା ହୋଇଯାଇଛି

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଗସ୍ତରେ ଅଛନ୍ତି । ରାମ ମନ୍ଦିର ଯିବା ପୂର୍ବରୁ ସେ ଅଚାନକ ଏକ ଦଳିତ ପରିବାରକୁ ଯାଇଥିଲେ । ଏଠାରେ ସେ ଚା’ ବି ପିଇଥିଲେ । ଏହି ପରିବାର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ୧୦କୋଟି ତମ ଲାଭାର୍ଥୀ ଅଟନ୍ତି ଓ ତାଙ୍କ ନାମ ମୀରା । ମୀରାଙ୍କ ଘରେ ଆଜି ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଯାଇଥିଲେ । ଏହା ଦେଖି ପୁରା ବସ୍ତି ଲୋକ ଚକିତ ହୋଇଯାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟ ଅଞ୍ଚଳର କନ୍ଧରପୁର ଗଳିରେ ପହଞ୍ଚିଥିଲେ । ସେ ଏଠାରେ ମୀରା ମାଞ୍ଝିଙ୍କ ଘରକୁ ଆସିଥିଲେ । ତାଙ୍କ ଘରେ ଚା’ ପିଇବା ସହିତ କହିଥିଲେ ମୁଁ ବି ଚା’ ବାଲା ଅଟେ । ପ୍ରଧାନମନ୍ତ୍ରୀ ଚା’ ପିଇବା ପରେ କହିଥିଲେ ଅଧିକ ମିଠା କରିଦେଇଛ । ପ୍ରଧାନମନ୍ତ୍ରୀ ମୀରାଙ୍କ ଘରେ ୨୦ମିନିଟ୍ ରହିଥିଲେଓ ତାଙ୍କ ପୁଅଝିଅ, ସ୍ୱାମୀ ଓ ଶାଶୂ ଶ୍ୱଶୁରଙ୍କ ସହ କଥା ହୋଇଥିଲେ । ଏହା ସହିତ ତାଙ୍କ ପିଲାଙ୍କୁ ଆଦର ବି କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ନେବାକୁ ଲୋକଙ୍କ ଭିଡ ଜମିଯାଇଥିଲା ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଏତେ ପାଖରେ ପାଇ ମୀରାଙ୍କ ସହ ପୁରା ପରିବାର ବହୁତ ଖୁସି ହୋଇଯାଇଛନ୍ତି । ମୀରା କହିଛନ୍ତି ମାତ୍ର ଘଣ୍ଟାକ ତଳୁ ମୁଁ ଜାଣିବାକୁ ପାଇଲି ଯେ, ମୋ ଘରକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି ବୋଲି । ଏତେ କମ୍ ସମୟ ମଧ୍ୟରେ ମୁଁ କିଛି ବି ପ୍ରସ୍ତୁତି କରିପାରି ନ ଥିଲି । ସେ ମୋ ଘରେ ଚା’ ପିଇଲେ ଓ ମୋ ପରିବାରର ଦୁଃଖସୁଖ ପଚାରି ବୁଝିଲେ । ମୋତେ ଲାଗିଲା ମୋ ଘରକୁ ସତେ ଯେମିତି ଭଗବାନ ଆସିଥିଲେ ।