ମୁମ୍ବାଇ: ରଶ୍ମିକା ମନ୍ଦାନା ଜଣେ ଅଭିନେତ୍ରୀ ଯିଏ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଖୁବ ନାଁ କମାଇଛନ୍ତି। ମାତ୍ର ଅଳ୍ପ ଦିନ କ୍ୟାରିଅରରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ସମସ୍ତେ କ୍ରସ୍ ଗାର୍ଲ ବୋଲି କୁହନ୍ତି। ନିକଟରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ୭ ବର୍ଷ କ୍ୟାରିଅର ପୂରଣ କରିଛନ୍ତି। ତେବେ ଏହି କ୍ୟାରିଅର ଭିତରେ ସେ ଅନେକ ଆକ୍ଟରଙ୍କ ସହ କାମ କରିଛନ୍ତି। କିନ୍ତୁ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ଯୋଡି ଖୁବ ଜମିଥିଲା। ଏହା ପରେ ଉଭୟେ ଉଭୟଙ୍କୁ ପ୍ରେମ କରୁଛନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ଦେଖିବାକୁ ମିଳୁଥିଲା। କିନ୍ତୁ ଏହି ଚର୍ଚ୍ଚା ଏବେ ବାସ୍ତବ ରୂପ ନେବ ବୋଲି କୁହାଯାଉଛି। ଅର୍ଥାତ ରଶ୍ମିକା ଖୁବଶୀଘ୍ର ବିଜୟ ଦେବରକୋଣ୍ଡାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ତେବେ ବିଭିନ୍ନ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, କୁହାଯାଉଛି ଚଳିତ ଫେବ୍ରୁଆରୀ ମାସରେ ବିବାହ ପାଇଁ ଉଭୟ ନିର୍ବନ୍ଧ କରିବେ। ହେଲେ ଏପର୍ୟ୍ୟନ୍ତ ଦୁହେଁ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି। କାରଣ ଏହି ଯୋଡିଙ୍କୁ ଯୁବପିଢ଼ି ମାନେ ଖୁବ ପସନ୍ଦ କରନ୍ତି।
ଏହି ଯୋଡିଙ୍କର ଭେଟଘାଟ କେବେ ହୋଇଥିଲା?
ଏହି ଯୋଡିଙ୍କର ପ୍ରଥମ ଭେଟଘାଟ ଫିଲ୍ମ ‘ଗୀତା ଗୋବିନ୍ଦମ୍’ର ସୁଟିଂ ସମୟରେ ହୋଇଥିଲା। ଚର୍ଚ୍ଚା ହୁଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ। ଏହା ପରେ ଉଭୟଙ୍କୁ ‘ଡିୟର କମରେଡ’ ରେ ଦେଖିବାକୁ ମିଳିଥିଲା। ଗତ ବର୍ଷ ଫିଲ୍ମ ‘ଖୁସି’ ରେ ବିଜୟ ଦେବରକୋଣ୍ଡା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମୁଖ୍ୟ ଭୂମିକାରେ ଥିଲେ। ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଆଗାମୀ ଚଳଚ୍ଚିତ୍ର ‘ଫ୍ୟାମିଲି ଷ୍ଟାର୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେହିପରି ରଶ୍ମିକା ମନ୍ଦାନା ଏବେ ଫିଲ୍ମ “ଆନିମଲ”କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। କାରଣ ଏହି ଫିଲ୍ମରେ ରଶ୍ମିକା ଅତି ବୋଲ୍ଡ ସିନରେ ନଜର ଆସିଥିଲେ। ଅନ୍ୟପଟେ ବହୁତ ଜଲଦି ସେ ଏକ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା ୨’ରେ ମଧ୍ୟ ନଜର ଆସିବେ।