ଓଡିଶା ଭାସ୍କର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ । ଅନ୍ୟପଟେ ଏହା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ତେବେ ରାହୁଲଙ୍କ ଏହି ଯାତ୍ରା ଓଡ଼ିଶାର ୪ ଜିଲ୍ଲା ଦେଇ ଯିବ ବୋଲି ସୂଚନା ମିଳିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଦେଇ ଓଡିଶାରେ ଏହି ଯାତ୍ରା ଯିବ ।
ଏହି ସମୟରେ ରାହୁଲ ଗାନ୍ଧୀ ଓଡିଶାରେ ୪ ଦିନ ରହିବେ। ଏନେଇ ଆଜି ଭୁବନେଶ୍ୱେର ‘ଭାରତ ଯୋଡ ନ୍ୟାୟ ଯାତ୍ରା” ର ଲୋଗୋ ଉନ୍ମୋଚନ ଅବସରରେ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ । ଏହା ସହ ଦେଶରେ ଜନ ଜାଗରଣ ସୃଷ୍ଟି ପାଇଁ ଏହି ଯାତ୍ରା ହେଉଥିବା ସେ କହିଛନ୍ତି । ତେବେ ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଉନ୍ମୋଚନ କରିଥିଲେ। ତେବେ ଏହି ଲୋଗୋ ଉନ୍ମୋଚନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାରିବ।
ସୂଚନା ଥାଉକି, ରାହୁଲ ଗାନ୍ଧୀଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବରେ ଦଳ ଦକ୍ଷିଣ ଭାରତରେ ସଫଳତା ପାଇଥିବା ଦେଖିବାକୁ ମିଳିଥିଲା। ଏଣୁ ବର୍ତ୍ତମାନ ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା ଓଡିଶା କଂଗ୍ରେସକୁ କେତେ ସଫଳତା ଆଣିଦେବ ତାହା କେବଳ ସମୟ କହିବ।