fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ବଡ଼ ଖବର । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସଙ୍ଗମ ଅଞ୍ଚଳରେ ମୁଫତିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ମୁଫତିଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଗୋଡ଼ରେ ମାଡ଼ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ସୂଚନା ମୁତାବକ, ଅନନ୍ତନାଗ ଜିଲ୍ଲା ଅଭିମୁଖେ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ମୁଫତି ଏକ ସ୍କର୍ପିଓରେ ତାଙ୍କର ସୁରକ୍ଷାକର୍ମୀଙ୍କ ସହିତ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ପିଡିପି ମୁଖ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ତେବେ ଏହି ଦୁର୍ଘଟଣାରେ ମୁଫତିଙ୍କ ଗାଡ଼ିର ଆଗପଟ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ଆଜି ମୁଫତି ଜମ୍ମୁ କଶ୍ମୀରର ଶ୍ରୀନଗରରୁ ଅନନ୍ତନାଗ ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ଅନନ୍ତନାଗ ଜିଲ୍ଲାର ସଙ୍ଗମ ବିଜବେହଡ଼ା ନିକଟରେ ତାଙ୍କର ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଗ୍ନିକାଣ୍ଡର ପୀଡ଼ିତଙ୍କୁ ସାକ୍ଷାତ କରିବା ପାଇଁ ମୁଫତି ଅନନ୍ତନାଗ ଜିଲ୍ଲାର ଖାନବଲ ଅଭିମୁଖେ ଯାତ୍ରା କରୁଥିଲେ । ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ମୁଫତିଙ୍କୁ ଅନ୍ୟ ଏକ ଗାଡ଼ିରେ ବସାଇ ତାଙ୍କର ଗନ୍ତବ୍ୟସ୍ଥଳକୁ ନିଆଯାଇଥିଲା ।

Get real time updates directly on you device, subscribe now.