ଆଗକୁ ୨୦୨୪ ଲୋକସଭା ନିର୍ବାଚନ: ‘ଭାରତ ଯୋଡ଼ ଯାତ୍ରା’ କଂଗ୍ରେସକୁ କେତେ ଫାଇଦା ଦେବ, ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ଏହା ମଧ୍ୟରେ କଂଗ୍ରେସର ଷ୍ଟାର ଲିଡର ତଥା ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୪ ତାରିଖରୁ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇ ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ ।

ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ଏହି ଯାତ୍ରା ସମାପ୍ତ ହେବ । ଏହି ଯାତ୍ରା ପରେ ୨-୩ ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ । ତେଣୁ ଏହି ଯାତ୍ରା କଂଗ୍ରେସର ଭୋଟ ବ୍ୟାଙ୍କକୁ ବୃଦ୍ଧି କରିବାରେ କେତେଦୂର ସହାୟକ ହେବ ତା’ ଉପରେ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଶେଷ କରି ଓଡ଼ିଶା ଉପରେ ଏହି ଯାତ୍ରାର ପ୍ରଭାବ କ’ଣ ରହିବ ତା’ ଉପରେ ମଧ୍ୟ ଆଲୋଚନା ଦେଖିବାକୁ ମିଳିଛି । ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାହୁଲଙ୍କ ଏହି ଯାତ୍ରା ଅତିକ୍ରମ କରିବ । ତେଣୁ ଏହା ରାଜ୍ୟର ଭୋଟରଙ୍କ ମଧ୍ୟରେ କଂଗ୍ରେସ ସପକ୍ଷ ବାତାବରଣ ସୃଷ୍ଟି କରିପାରିବ ବୋଲି କଂଗ୍ରେସ ନେତାଙ୍କର ବିଶ୍ୱାସ ରହିଛି ।

ଗତବର୍ଷ କଂଗ୍ରେସ କର୍ଣ୍ଣାଟକ ଓ ତେଲେଙ୍ଗନା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି ସରକାର ଗଠନ କରିବା ପରେ ଦଳର ଆତ୍ମବିଶ୍ୱାସ ବହୁମାତ୍ରାରେ ବୃଦ୍ଧି ପାଇଥିଲା । ବିଶେଷ କରି କର୍ଣ୍ଣାଟକ ବିଜୟର ପ୍ରମୁଖ କାରଣ ମଧ୍ୟରୁ ଭାରତ ଯୋଡ଼ ଯାତ୍ରା ଏକ କାରଣ ଥିଲା ବୋଲି ଚର୍ଚ୍ଚା ହୋଇଥିଲା । ରାଜନୈତିକ ଫାଇଦା ହାସଲ କରିବା ଏହି ଯାତ୍ରାର ମୂଳ ଲକ୍ଷ୍ୟ ନୁହେଁ ବୋଲି ପୂର୍ବରୁ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲେ ହେଁ ପ୍ରତ୍ୟେକ ରାଜନୈତିକ ଦଳର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସମସ୍ତେ ଜାଣନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମହାମେଣ୍ଟର ଦଳମାନେ ଆସନ ବୁଝାମଣାରେ ବ୍ୟସ୍ତ ରହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ଭାରତ ଯୋଡ଼ ଯାତ୍ରା କଂଗ୍ରେସ ଭୋଟରଙ୍କୁ କେତେ ଯୋଡ଼ିବ ତା’ ଉପରେ ନିଶ୍ଚିତ ଭାବେ ସଭିଙ୍କ ନଜର ରହିବ । ଏହି ଯାତ୍ରାର ପ୍ରଭାବ ଜନତାଙ୍କ ମଧ୍ୟରେ କେତେ ପଡ଼ିବ ତାହା ଯଦିଓ ଅନୁମାନ କରିବା କଷ୍ଟକର ତେବେ ଏହା ନିଶ୍ଚିତ ଭାବେ ଭୋଟରଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିପାରେ ।