ନୂଆଦିଲ୍ଲୀ: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୌଣସି କାରଣ ବଶତଃ ଏହି ଗସ୍ତ ବାତିଲ ହୋଇଥିଲା। ଗଣମାଧ୍ୟମ ସହ ଆଲୋଚନା କରି ଓଡିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ଗସ୍ତ ସମୟରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ ବୋଲି ସେ କହିଛନ୍ତି। ଏହା ସହ ମନମୋହନ କହିଛନ୍ତି ଯେ, ସେ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ସାଧାରଣ ସଭା ଓ ଦଳୀୟ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯଦି ସେହି ଦିନ ପ୍ରଧାନମନ୍ତ୍ରୀଙ୍କ ରହଣି ହୁଏ ତେବେ ଅନ୍ୟାନ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇପାରନ୍ତି। ତେବେ ଏ ସମ୍ପର୍କରେ ଅନ୍ୟାନ ସ୍ପଷ୍ଟ ସୂଚନା ଖୁବଶୀଘ୍ର ସେ ଗଣମାଧ୍ୟମକୁ ଦେବେ ବୋଲି ମଧ୍ୟ କହିଛନ୍ତି।
ତେବେ ଅନ୍ୟପଟେ ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଓଡିଶା ଗସ୍ତ ରାଜନୀତିରେ ବେଶ ମହତ୍ୱ ରଖିବ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ସଂଗଠନ ବିଷୟରେ ପଚାରି ବୁଝିବେ ବୋଲି କୁହାଯାଉଛି।