fbpx

ଶୋଏବ ମଲିକ କଠୋର ଦଣ୍ଡରେ ଦଣ୍ଡିତ ହେବେ: ଆସିଲା ମ୍ୟାଚ ଫିକ୍ସିଂ ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ସନା ଜାଭେଦଙ୍କୁ ତୃତୀୟ ବିବାହ କରିବା ପରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ବେଶ୍ ଚର୍ଚ୍ଚାରେ ରହିଥିଲେ । ଟେନିସ ତାରକା ସାନିଆ ମିର୍ଜାଙ୍କୁ ଶୋଏବ ପୂର୍ବରୁ ବିବାହ କରିଥିବା ବେଳେ ବିନା ତଲାକରେ କ୍ରିକେଟର କିପରି ଆଉ ଥରେ ମ୍ୟାରେଜ୍ କଲେ ତାହାକୁ ନେଇ ଚାରିଆଡ଼େ ଆଲୋଚନା ଚାଲିଥିଲା । ତେବେ ସାନିଆ-ଶୋଏବଙ୍କ ମଧ୍ୟରେ ତଲାକ୍ ହୋଇସାରିଥିବା ନେଇ ସାନିଆଙ୍କ ବାପା ଗଣମାଧ୍ୟମକୁ ପରବର୍ତ୍ତୀ ସମୟରେ ସୂଚନା ଦେଇଥିଲେ ।

ତେବେ ଏହା ମଧ୍ୟରେ ଶୋଏବଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ମ୍ୟାଚ ଫିକ୍ସିଂ ମାମଲାରେ ଛନ୍ଦି ହୋଇଯାଇଛନ୍ତି ପାକିସ୍ତାନୀ କ୍ରିକେଟରେ । ଏହି ମାମଲାରେ ଶୋଏବଙ୍କୁ କଠୋର ଦଣ୍ଡ ମିଳିପାରେ । ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ) ସମୟରେ ଶୋଏବ ଗୋଟିଏ ଓଭରରେ କ୍ରମାଗତ ୩ଟି ନୋ-ବଲ୍ ଫିଙ୍ଗିଥିଲେ, ଯାହାକି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଶୋଏବଙ୍କ ସେହି ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ସ ବହୁତ ନିରାଶ ହୋଇଥିଲେ । ତେବେ ଏହା ମଧ୍ୟରେ ଶୋଏବ ଖେଳୁଥିବା ଟିମ୍ ତାଙ୍କର ଚୁକ୍ତି ସମାପ୍ତ କରିଦେଇଥିବା ଜଣାପଡ଼ିଛି ।

ବିପିଏଲରେ ଶୋଏବ ଫଚ୍ୟୁନ ବରିଶଲ ଟିମ୍ ପକ୍ଷରୁ ଖେଳୁଥିବା ବେଳେ ତମିମ ଇକବାଲ ଦଳର ଅଧିନାୟକ ଥିଲେ । ନିକଟରେ ବରିଶଲ ଟିମ୍ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷ ଖୁଲନା ଟାଇଗର୍ସ ଟାର୍ଗେଟ ପିଛା କରିବା ସମୟରେ ଶୋଏବ ବୋଲିଂ କରିବାକୁ ଯାଇଥିଲେ । ପାୱାର-ପ୍ଲେ ସମୟରେ ତମିମ ଶୋଏବଙ୍କୁ ବୋଲିଂ ଦେଇଥିଲେ । ସେହି ସମୟରେ ଶୋଏବ ଗୋଟିଏ ଓଭରରେ ୩ଟି ନୋ-ବଲ ଫିଙ୍ଗିବା ସହିତ ୧୮ ରନ୍ ଦେଇଥିଲେ । ଏହାଫଳରେ ଟାଇଗର୍ସ ଟିମ୍ ୧୮ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ସେହି ମ୍ୟାଚ ପରେ ଶୋଏବ ସୋସିଆଲ ମିଡ଼ିଆରେ ବହୁତ ଟ୍ରୋଲ ହେବା ସହିତ ଫ୍ୟାନ୍ସ ମ୍ୟାଚ ଫିକ୍ସିଂ ନେଇ ଯାଞ୍ଚ ଦାବି କରିଥିଲେ ।

Get real time updates directly on you device, subscribe now.