ଓଡିଶା ଭାସ୍କର: ଆଜିର ଦିନରେ ବ୍ରଣ ହେଉଛି ଏକ ସାଧାରଣ ଚର୍ମ ରୋଗ । ଯାହାକି ଉଭୟ ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ଆଉ ଛୋଟ ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି । ବିଶେଷକରି ଯୁବପିଢି ମୁହଁରେ ବ୍ରଣ ସସମ୍ୟାକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି । ଆଉ ବ୍ରଣରୁ ମୁକ୍ତି ପାଇବା ପାଇଁ ମୁହଁରେ ଅନେକ ପ୍ରକାରର କ୍ରିମ୍ ଓ ଘରୋଇ ଉପଚାର ମଧ୍ୟ କରିଥାନ୍ତି। ତେବେ କଣ ଆପଣଙ୍କୁ ଜଣା ଅଛି କି, ମୁହଁରେ ବ୍ରଣ କାହିଁକି ହୋଇଥାଏ? ବ୍ରଣ ହେଲେ କଣ ସବୁ କରିବା ଉଚିତ ହୋଇନଥାଏ? ଆସନ୍ତୁ, ଜାଣିବା ଏହି ବ୍ରଣକୁ ନେଇ କିଛି ଖାସ ତଥ୍ୟ…
ମୁହଁରେ ବ୍ରଣ କାହିଁକି ହୋଇଥାଏ?
ମୁହଁରେ ବ୍ରଣ ହେବାର ମୁଖ୍ୟ କାରଣ ହେଲା ହରମୋନାଲ। ଯେତେବେଳେ ପୁଅ ପିଲାଙ୍କର ଦାଢି ନିଶ ଉଠିବା ଆରମ୍ଭ କରେ ଓ ଝିଅମାନଙ୍କର ଋତୁସ୍ରାବ ଆରମ୍ଭ ହୁଏ , ସେ ସମୟରେ ଉଭୟ ମହିଳା ଓ ପୁରୁଷଙ୍କର ହରମୋନାଲ ସନ୍ତୁଳନ ବିଗିଡି ଯାଇଥାଏ। ଏହି ସମୟରେ ଶରୀରରେ ଆଣ୍ଡ୍ରୋଜେନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ । ଫଳରେ ତ୍ୱଚା ଅଧିକ ତେଲିଆ ହେବା ସହ ମୁହଁର ଚର୍ମ ଭିତର ଛିଦ୍ର ବନ୍ଦ ହୋଇଯାଏ । ଯାହା ଫଳରେ ତ୍ୱଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ । ଏହାସହ ଅନେକ ସମୟରେ ପିଲାମାନେ ବ୍ରଣରେ ହାତ ମାରି ଏହାକୁ ଛିଣ୍ଡାଇ ଦେଇଥାନ୍ତି । ଯାହାଫଳରେ ବ୍ରଣ ଆହୁରି ଅଧିକ ବଢିଥାଏ । ତା ସହିତ ଚିନି, ଫାଷ୍ଟଫୁଡ୍, ଜଙ୍କଫୁଡ୍ ଅଧିକ ଖାଇଲେ ମୁହଁରେ ବ୍ରଣ ହେବାର ଆଶଙ୍କା ରହିଥାଏ ।ବର୍ତମାନର ଜୀବନଶୈଳୀ ଓ ମାନସିକ ଚାପ ମଧ୍ୟ ମୁହଁରେ ବ୍ରଣ ହେବାର ଅନ୍ୟ ଏକ ପ୍ରମୁଖ କାରଣ । ତେବେ ମନେ ରଖନ୍ତୁ, ବ୍ରଣ ହେଲେ କଣ ସବୁ କରିବେ ନାହିଁ।
ବ୍ରଣ ହେଲେ ଭୁଲରେ ବି ଏମିତି କରିବେନି:-
ବ୍ରଣରେ ହାତ ମାରିଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ। ତେଣୁ ବ୍ରଣରେ କଦାପି ହାତ ମାରନ୍ତୁ ନାହିଁ। ସେହିପରି ମୁହଁରେ ଅଯଥାରେ କୌଣସି କ୍ରିମ୍, ମେକଅପ୍ ଲଗାନ୍ତୁ ନାହିଁ । ମୁହଁରେ ଅଧିକ ମେକଅପ୍ ଲଗାଇଲେ ମୁହଁର ଛିଦ୍ର ବନ୍ଦ ହୋଇଯାଏ, ଆଉ ମୁହଁରେ ବ୍ରଣ ବାହାରେ। ଯଦି ଆପଣ ମୁହଁରେ ମେକଅପ୍ ଲଗାଉଛନ୍ତି, ତେବେ ମେକଅପକୁ ଭଲ ଭାବରେ ଛଡାନ୍ତୁ । ମେକଅପ୍ ଛଡାଇବା ସମୟରେ ମେକଅପ୍ ରିମୁଭର, ଗୋଲାପ ଜଳ ଓ ନଡିଆ ତେଲ ବ୍ୟବହାର କରନ୍ତୁ। ହେଲେ ମୁହଁରେ ଅଯଥାରେ କୌଣସି କ୍ରିମ୍ ଲଗାନ୍ତୁ ନାହିଁ । ସେହିପରି ଫାଷ୍ଟଫୁଡ୍, ଜଙ୍କଫୁଡଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ। ଆଉ ଗୋଟେ କଥା ମନେ ରଖନ୍ତୁ, ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ସହ ମାନସିକ ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କାରଣ ସଠିକ୍ ସମୟରେ ନଶୋଇବା ମଧ୍ୟ ମୁହଁରେ ବ୍ରଣ ହେବାର ଏକ ପ୍ରମୁଖ କାରଣ । ଯଦି ଏହିସବୁ କରିବା ପରେ ବି ମୁହଁରେ ଅତ୍ୟଧିକ ବ୍ରଣ ବାହାରୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ମନ ଇଚ୍ଛା ଘରୋଇ ଉପଚାର କରନ୍ତୁ ନାହିଁ:-
ଆଜିକାଲି ବିଭିନ୍ନ ସମସ୍ୟା ପାଇଁ ବିଭିନ୍ନ ପ୍ରକାରର ଘରୋଇ ଉପଚାର ପାଇଁ ପରାମର୍ଶ ମିଳୁଛି। କିନ୍ତୁ ଏହି ସବୁ ପରାମର୍ଶ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କାରଣ ମୁହଁରେ ବ୍ରଣ ହେବା ସମସ୍ତଙ୍କ ପାଇଁ କାରଣ ସମାନ ନଥାଏ। ସେହିପରି ସମସ୍ତ ଘରୋଇ ଉପଚାର ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ହୋଇନଥାଏ। ଭିନ୍ନ ଭିନ୍ନ ସମସ୍ୟା ପାଇଁ ଭିନ୍ନ ଭିନ୍ନ ଉପଚାର ରହିଥାଏ।