fbpx

Cervical Cancer ବଡ଼ ଭୟଙ୍କର: ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମଙ୍କ ବିୟୋଗ ପରେ ଏହି ରୋଗକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ଆଜି ମନୋରଞ୍ଜନଧର୍ମୀ ଦୁନିଆରେ ଦୁଃଖର ଲହରୀ ଖେଳିଯାଇଛି । ପୁନମ ସର୍ଭାଇକଲ କ୍ୟାନସର ବା ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ଥାଇ ମାତ୍ର ୩୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତେବେ ଆଜିକାଲିର ଅଧିକାଂଶ ଅଭିନେତା, ଅଭିନେତ୍ରୀଙ୍କ ପରି ପୁନମ୍ ମଧ୍ୟ ଫିଟନେସ୍ ପ୍ରତି ବିଶେଷ ଧ୍ୟାନ ଦେଉଥିବା ବେଳେ ଏତେ କମ୍ ବୟରେ ତାଙ୍କର ଦେହାନ୍ତ ପରେ ଏବେ ଏହି ରୋଗକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପୁନମଙ୍କୁ ଫିଟନେସ ମେଣ୍ଟେନ କରିବାର ମାଷ୍ଟର କୁହାଯାଉଥିଲା । ସେ ଫ୍ୟାନ୍ସଙ୍କ ପାଇଁ ତାଙ୍କର ଫିଟନେସର ସିକ୍ରେଟ ଶେୟାର କରିଥାନ୍ତି । ସୂର୍ଯ୍ୟ ନମସ୍କାର ତାଙ୍କର ପ୍ରିୟ ବ୍ୟାୟାମ ହୋଇଥିବା ବେଳେ ସେ ଫଳ କିମ୍ବା ଜୁସ୍ ସେବନ କରିଥାନ୍ତି । ଏଥିସହିତ ଓଜନକୁ ନିୟନ୍ତ୍ରଣ କରିବା ପାଇଁ ସେ ଯୋଗ ଓ ଜଗିଂ କରିଥାନ୍ତି । ଏଥିସହିତ ସେ ସମସ୍ତ ପ୍ରକାରର ହେଲଥ ସପ୍ଲିମେଣ୍ଟକୁ ଆଭଏଡ୍ କରିବା ସହିତ କ୍ୟାଲୋରୀ ହ୍ରାସ କରିବା ପାଇଁ ସେ ଡ୍ୟାନ୍ସ କରିଥାନ୍ତି । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ପରେ ବି ସେ ଗର୍ଭାଶୟ କର୍କଟ ପରି ଏକ ଗମ୍ଭୀର ରୋଗରେ ସଂକ୍ରମିତ ହୋଇ ଶେଷରେ ମୃତ୍ୟୁବରଣ କରିଥିଲେ । ତେଣୁ ଏହି ରୋଗକୁ ନେଇ କଦାପି ହେଳା କରିବା ଅନୁଚିତ ।

ଗର୍ଭାଶୟ କର୍କଟ ମହିଳାଙ୍କ ପାଇଁ ଏକ ସାଙ୍ଘାତିକ ବିମାରୀ । ସବୁଠାରୁ ବଡ଼ କଥା ହେଉଛି, ଅଧିକାଂଶ ଭାରତୀୟ ମହିଳା ଏହି କ୍ୟାନସର ରୋଗ ବିଷୟରେ ଅଜ୍ଞ ଥାଆନ୍ତି । ଭାରତୀୟ ମହିଳାଙ୍କ କ୍ୟାନସର ମୃତ୍ୟୁ ମାମଲାରେ ସର୍ଭିକାଲ କ୍ୟାନ୍ସର ସର୍ବାଗ୍ରେ ରହିଛି । ଏହାର ପ୍ରତିରୋଧ ଓ ଚିକିତ୍ସା ଉଭୟ ସମ୍ଭବ । ମାତ୍ର ମହିଳାମାନଙ୍କ କ୍ଷେତ୍ରରେ ଏହାକୁ ନେଇ ସଚେତନତାର ଅଭାବ ରହିଛି । ଭାରତରେ ବ୍ରେଷ୍ଟ, ଓରାଲ ଓ ଗର୍ଭାଶୟ କ୍ୟାନସରର ନୂଆ ମାମଲା ୩୨ ପ୍ରତିଶତରେ ପହଞ୍ଚିଥିବା ଏକ ରିପୋର୍ଟରେ କୁହାଯାଇଛି ।

୨୦୨୦ରେ ବିଶ୍ୱରେ ୩.୪ ଲକ୍ଷରୁ ଅଧିକ ଜଣ ଗର୍ଭାଶୟ କର୍କଟରେ ପ୍ରାଣ ହରାଇଥିବା ବେଳେ ଭାରତରେ ପାଖାପାଖି ୧.୨୫ ଲକ୍ଷ ମାମଲା ପଞ୍ଜିକୃତ ହୋଇଥିଲା । ୨୦୫୦ ସୁଦ୍ଧା ବିଶ୍ୱରେ କ୍ୟାନସରର ୪.୮ କୋଟି ନୂଆ ମାମଲା ଦେଖିବାକୁ ମିଳିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଜାରି ହୋଇଥିବା ସଦ୍ୟ ରିପୋର୍ଟରେ କୁହାଯାଇଛି । ତେଣୁ ଏହି ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯ରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ମାଗଣା ଗର୍ଭାଶୟ କର୍କଟ ଟିକା ପ୍ରଦାନ କରାଯିବା ପାଇଁ କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଛନ୍ତି ।

ମହିଳାମାନଙ୍କର ଗର୍ଭାଶୟ କୋଷଗୁଡ଼ିକ ସର୍ଭାଇକଲ କ୍ୟାନସରରେ ପ୍ରଭାବିତ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ହ୍ୟୁମାନ ପାପିଲୋମା ଭାଇରସ (ଏଚପିଭି)ର ବିଭିନ୍ନ ଷ୍ଟ୍ରେନ କାରଣରୁ ଏହି ରୋଗ ହୋଇଥାଏ । ଏଚପିଭି ଏକ ସାଧାରଣ ରୋଗ ହୋଇଥିବା ବେଳେ ତାହା ଯୋନୀରେ ଏକ ମାଂସ ଭାବରେ ଦେଖାଦେଇଥାଏ । ତାହା ଧୀରେଧୀରେ ସର୍ଭାଇକଲ ସେଲ୍ସକୁ କ୍ୟାନସର ସେଲ୍ସରେ ପରିଣତ କରିଦେଇଥାଏ । ଜଣେ ମହିଳା ଯେତେବେଳେ ଏଚପିଭି ସଂସ୍ପର୍ଶରେ ଆସନ୍ତି, ସେତେବେଳେ ତାଙ୍କର ଇମ୍ୟୁନିଟି ସିଷ୍ଟମ ସେହି ଭାଇରସ ସହ ଲଢ଼େଇ କରିଥାଏ । ମାତ୍ର ଅନେକ କ୍ଷେତ୍ରରେ ମହିଳାଙ୍କର ଇମ୍ୟୁନ ସିଷ୍ଟମ ଶକ୍ତିଶାଳୀ ନହେବା କାରଣରୁ ଏ କ୍ଷେତ୍ରରେ ସର୍ଭାଇକଲ କ୍ୟାନସରର ବିପଦ ଆଶଙ୍କା ରହିଥାଏ ।

ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଦେଇ ନଥାଏ । ମାତ୍ର ଆଡଭାନ୍ସ ଷ୍ଟେଜରେ ପହଞ୍ଚିବା ପରେ କର୍କଟର ଲକ୍ଷଣ ସାମ୍ନାକୁ ଆସିଥାଏ । ସେଥିପାଇଁ ଏହାକୁ ନିୟମିତ ଯାଞ୍ଚ କରାଇବା ଆବଶ୍ୟକ । ଋତୁସ୍ରାବରେ ଅନିୟମିତତା, ଯୌନ ସମ୍ପର୍କ ପରେ ରକ୍ତସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ନିଷ୍କାସନ, ମେନୋପୋଜ ପରେ ରକ୍ତସ୍ରାବ, ସେକ୍ସ ସମୟରେ ଯନ୍ତ୍ରଣା, ଋତୁସ୍ରାବ ବ୍ୟତୀତ ଅନ୍ୟ ରକ୍ତସ୍ରାବ ଆଦି ଗର୍ଭାଶୟ କର୍କଟର ଲକ୍ଷଣ । ଅଧିକ ଯୌନ ସହଭାଗୀ, ଅଳ୍ପ ବୟସରେ ସେକ୍ସ, ଦୁର୍ବଳ ଇମ୍ୟୁନ ସିଷ୍ଟମ, ଧୂମ୍ରପାନ ଆଦି ଏହି ରୋଗ ପାଇଁ ବିପଦର କାରଣ ସାଜିଥାଏ ।

Get real time updates directly on you device, subscribe now.