fbpx

ହରଦା ବାଣ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ୨୦୦ ରୁ ଅଧିକ ଆହତ

ଭୋପାଲ: ମଧ୍ୟପ୍ରଦେଶର ହରଦା ସହରରେ ଘଟିଥିବା ଏକ ଭୟଙ୍କର ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାରଖାନା ଭିତରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ କାରଖାନା ପରିସରରେ ଥିବା ପ୍ରାୟ ୬୦ଟି ଘର ମଧ୍ୟ ନିଆଁ ଲାଗି ଜଳିଯାଇଛି। ସୂଚନାନୁସାରେ, ମାଗରଡା ରୋଡରେ ଅବସ୍ଥିତ ଏକ ବେଆଇନ ଅଗ୍ନିଶମ କାରଖାନାରେ ବିସ୍ଫୋରଣ ଘଟିବା ପରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇବା ପରେ ପ୍ରଶାସନିକ କର୍ମଚାରୀଙ୍କ ସହ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଛି।

ବିସ୍ଫୋରଣ ଘଟିବା ପରେ ଏହି କାରଖାନାରେ ଅନେକ ଲୋକେ ଫସିରହିଥିଲେ । ବାଣ କାରଖାନା ଭିତରେ ଲଗାତାର ଭାବେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏନଡିଆରଏଫ ଏବଂ ଏସଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡକାଇଥିଲେ ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଘଟଣା ବିଷୟରେ ତୁରନ୍ତ ଜାଣି ମନ୍ତ୍ରୀ ଉଦୟ ପ୍ରତାପ ସିଂ, ଏସିଏସ୍ ଅଜିତ କେସରୀ, ଡିଜି ହୋମଗାର୍ଡ ଅରବିନ୍ଦ କୁମାରଙ୍କୁ ହେଲିକପ୍ଟର ଯୋଗେ ହରଦା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଭୋପାଲ ଏବଂ ଇନ୍ଦୋରର ମେଡିକାଲ କଲେଜ, ଭୋପାଳର AIIMS ଏବଂ ବର୍ନ ୟୁନିଟମାନଙ୍କୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଭାବିତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଯାଦବ ଆଶ୍ୱାସନା ଦେଇଛନ୍ତି ଯେ ଆହତମାନଙ୍କ ପାଇଁ ଆର୍ଥିକ ସହାୟତା ଏବଂ ମାଗଣା ଚିକିତ୍ସା ସେବା ସମେତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରାଯାଇଛି।

ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ପୋଷ୍ଟରେ ଲେଖାଯାଇଛି, “ମଧ୍ୟପ୍ରଦେଶର ହରଦାରେ ଥିବା ଏକ ବାଣ କାରଖାନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ପ୍ରିୟଜନଙ୍କୁ ହରାଇଥିବା ପରିବାରପ୍ରତି ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛି ।”

 

Get real time updates directly on you device, subscribe now.